Latest Odisha News

BREAKING NEWS

ଗୁଳିମାଡ଼ ପରେ ମେଡିକାଲ୍ ଯାଉଥିଲେ ମାଆପୁଅ, ଆମ୍ବୁଲାନ୍ସରେ ଜୀଅନ୍ତା ଜାଳିଦେଲେ ହିଂସାକାରୀ

ଇମ୍ଫାଲ୍: ମଣିପୁରରେ ମେ ୩ରୁ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆଉ ଏହାରି ଭିତରେ ହିଂସା ସୃଷ୍ଟି କରିଥିବା ଲୋକେ ମାଆପୁଅ ସହ ୩ ଜଣଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି । ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ ।

ରାସ୍ତାରେ ପ୍ରାୟ ୨ ହଜାର ହିଂସାକାରୀ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ । ପୋଲିସର ସୂଚନା ଅନୁସାରେ, ନିଆଁ ଲାଗିବା ପରେ ଆମ୍ବୁଲାନ୍ସରୁ କେବଳ କଙ୍କାଳ ମିଳିଛି । ଏ ଘଟଣା ରବିବାର ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି । ମୃତକ ହେଲେ ୭ ବର୍ଷର ଟନସିଙ୍ଗ ହ୍ୟାଙ୍ଗିଗ୍, ତାଙ୍କ ମାଆ ମୀନା ହ୍ୟାଙ୍ଗିଗ୍ ଓ ତାଙ୍କ ସମ୍ପର୍କୀୟ ଲିଡିଆ ଲ୍ୟାରେମ୍ବମ୍ ବୋଲି ଜଣାପଡ଼ିଛି ।

ମୃତ ତିନିଜଣ ଆସାମ ରାଇଫଲ୍ସର କ୍ୟାମ୍ପରେ ରହୁଥିଲେ । ଉକ୍ତ କ୍ୟାମ୍ପ ରାଜଧାନୀ ଇମ୍ଫାଲ୍ ଠାରୁ ପଶ୍ଚିମରେ ୧୫ କିଲୋମିଟର ଦୂର କାଙ୍ଗଚୁପରେ ରହିଛି । ଯେଉଁଠି ଅନେକ କୁକି ପରିବାର ମଧ୍ୟ ଶରଣ ନେଇଛନ୍ତି । କ୍ୟାମ୍ପ ଉପରକୁ ଅନେକ ସମୟରେ ଫାୟାରିଂ ବି ହେଉଛି । ଅଭିଯୋଗ ହେଉଛି, ମୈତେଇ ସମୁଦାୟର ଲୋକ କ୍ୟାମ୍ପକୁ ଟାର୍ଗେଟ୍ କରୁଛନ୍ତି ।

ରବିବାର ଆକ୍ରମଣ ସମୟରେ ୩ ଜଣ ଆହତ ହୋଇଥିଲେ । ଏହା ପରେ କ୍ୟାମ୍ପର ଅଧିକାରୀ, ପୋଲିସ ସହ କଥା ହୋଇ ଆହତଙ୍କୁ ମେଡିକାଲ୍ ନେଉଥିଲେ । ସନ୍ଧ୍ୟା ୫ଟା ୧୬ରେ ଆମ୍ବୁଲାନ୍ସରେ ଆହତଙ୍କ ସହ ନର୍ସ କ୍ୟାମ୍ପରୁ ବାହାରି ଥିଲେ । ଆଉ ଅଧା ରାସ୍ତାରେ ହିଂସାକାରୀ ଆମ୍ବୁଲାନ୍ସକୁ ଟାର୍ଗେଟ୍ କରି ନିଆଁ ଲଗାଇ ଦେଇଥିଲେ ।

Leave A Reply

Your email address will not be published.