ଇମ୍ଫାଲ: ମଣିପୁରରେ ହୋଇଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେଇଛନ୍ତି ମଣିପୁର ସରକାର। ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆଦିବାସୀ ଏବଂ ଅଧିକାଂଶ ମେଇତି ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହେବା ପରେ ରାଜ୍ୟପାଳଙ୍କ ନିକଟକୁ ମଣିପୁର ସରକାରର ଗୃହ ବିଭାଗ ଏପରି ଏକ ପ୍ରସ୍ତାବ ପଠାଇଥିଲେ ଯାହାକୁ ରାଜ୍ୟପାଳ ଅନୁମୋଦନ ଦେଇଛନ୍ତି। ଏହି ହିଂସା ଯୋଗୁଁ ୯ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।
ବୁଧବାର ନାଗା ଏବଂ କୁକି ଆଦିବାସୀମାନେ ଏକ ‘ଆଦିବାସୀ ଏକତା ପଦଯାତ୍ରା’ ଆୟୋଜନ କରିବା ପରେ ଏହି ହିଂସା ଆରମ୍ଭ ହୋଇଥିଲା। ରାତିରେ ହିଂସା ତୀବ୍ର ହୋଇଥିଲା। ପରିସ୍ଥିତି ଅନିୟନ୍ତ୍ରିତ ହୋଇଥିବା ଦେଖି ଦଙ୍ଗାକାରୀଙ୍କୁ ଗୁଳି ଚଳାଇବା ନିର୍ଦ୍ଦେଶ ଜାରି କରିଛନ୍ତି ସରକାର। ରାଜ୍ୟପାଳଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଚେତାବନୀ ଏବଂ ପ୍ରବର୍ତ୍ତାଇବା ପରେ ବି ସ୍ଥିତି ନିୟନ୍ତ୍ରଣରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ମଣିପୁରରେ ମୋଟ୍ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟର। ଯେଉଁମାନେ କି ଅନୁସୂଚିତ ଜନଜାତି (ଏସଟି) ମାନ୍ୟତାକୁ ଦାବି କରୁଛନ୍ତି। ଏହି ମାନ୍ୟତାକୁ ବିରୋଧ କରି ଚୁରାଚାନ୍ଦପୁର ଜିଲ୍ଲାର ତୋରବାଙ୍ଗ ଅଞ୍ଚଳରେ ‘ଅଲ୍ ଆଦିବାସୀ ଛାତ୍ର ୟୁନିଅନ ମଣିପୁର’ (ଏଟିଏସୟୁଏମ୍) ‘ ଆଦିବାସୀ ଏକତା ମାର୍ଚ୍ଚ ‘ ଆନ୍ଦୋଳର ଡାକରା ଦେଇଥିଲା। ଯେଉଁଥିରେ ହଜାର ହଜାର ଲୋକ ଯୋଗଦେଇଥିଲେ।
ଗତ ମାସରେ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମେଇତି ସମ୍ପ୍ରଦାୟର ଏସଟି ମାନ୍ୟତା ଦାବିରେ କେନ୍ଦ୍ରକୁ ସୁପାରିଶ କରିବାକୁ କହିବା ପରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି।
ପୋଲିସର ସୂଚନାନୁସାରେ, ଚୁରାଚାନ୍ଦପୁର ଜିଲ୍ଲାର ତୋରବାଙ୍ଗ ଅଞ୍ଚଳରେ ପଦଯାତ୍ରା ସମୟରେ ମେଇତି ସମ୍ପ୍ରଦାୟର ସଦସ୍ୟମାନେ ଏକ ସଶସ୍ତ୍ର ବ୍ୟକ୍ତିଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ଏହାପରେ ସେଠାରେ ୧୪୪ ଧାରା ଲାଗୁକରାଯାଇ କର୍ଫ୍ୟୁ ସହିତ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଛି। ସ୍ଥିତିକୁ ଦେଖି ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନ ନିୟୋଜିତ ହୋଇଛନ୍ତି। ଆଉ ୧୪ କଲମ ଯବାନଙ୍କୁ ପ୍ରସ୍ତୁତ କରି ରଖାଯାଇଛି।
Comments are closed.