ଇମ୍ଫାଲା: ବିଗୁଡୁଛି ମଣିପୁର ସ୍ଥିତି । ଉଗ୍ରରୂପ ନେଇଥିବା ହିଂସା ଏବେ ରାଜନୈତିକ ମୋଡ ନେଉଛି । କଂଗ୍ରେସ ନେତା ଶଶି ଥରୁର ମଣିପୁରରେ ଆଦିବାସୀ ଏବଂ ପ୍ରଭାବଶାଳୀ ମୈତାଈ ସମୁଦାୟ ମଧ୍ୟରେ ଦେଖା ଦେଇଥିବା ସଂଘର୍ଷକୁ ନେଇ ବିଜେପିକୁ ଟାର୍ଗଟ କରିଛନ୍ତି । ସେ ଏଠାରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିଛନ୍ତି । ଶଶି ଥରୁର କହିଛନ୍ତି, ବିଜେପିକୁ ପୁଣିଥରେ କ୍ଷମତାକୁ ଆଣି ମଣିପୁରବାସୀ ବିଶ୍ୱାସଘାତକତାର ଶିକାର ହୋଇଥିବା ଅନୁଭବ କରୁଛନ୍ତି ।
ମେ’ ୩ ତାରିଖରେ ଇମ୍ଫାଲ ଘାଟି ମୈତେଈ ଏବଂ ପହାଡୀ କୁକିଜ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ହିଂସା ଉଗ୍ରରୂପ ନେଇଥିଲା । ସାରା ମଣିପୁର ଜଳିଥିଲା ଏହି ହିଂସାକୁ ନେଇ । ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ୧୪୪ ଧାରା ଜାରି କରିବା ସହ ସେନା ମୁତୟନ କରିଥିଲେ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଥିଲେ ।
ପିଟିଆଇର ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମଣିପୁର ହିଂସାରେ ୫୪ ଜଣଙ୍କ ଜୀବନ ଗଲାଣି । ଏମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଶବ ଚୁରାଚନ୍ଦପୁର ଜିଲ୍ଲା ଡାକ୍ତରଖାନାରେ ରହିଛି । ୧୫ ଶବ ଇମ୍ଫାଲ ଇଷ୍ଟ ଜବାହାରଲାଲ ନେହରୁ ଆୟୁର୍ବିଜ୍ଞାନ ସଂସ୍ଥାନରେ ରହିଛି । ପଶ୍ଚିମ ଇମ୍ଫାଲାର ଲାମ୍ଫେଲ ଇଲାକାରେ ୨୩ ଜଣଙ୍କ ମୃତ୍ୟୁ ଖବର ଆସିଛି ।ପ୍ରତିରକ୍ଷା ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଉତ୍ତେଜନାପ୍ରବଣ ଅଞ୍ଚଳରୁ ୧୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସେନା ଶିବିରରେ ରଖାଯାଇଛି ।
ଏହି ହିଂସାକୁ ଦେଖିବା ପରେ ଶଶି ଥରୁର ଟୁଇଟ କରି କହିଛନ୍ତି, ‘ମଣିପୁରରେ ଯେମିତି ହିଂସା ଦେଖିବାକୁ ମିଳିଛି, ଠିକ ବିଚାରଶକ୍ତି ଥିବା ପ୍ରତ୍ୟେକ ଭାରତୀୟ ନିଜକୁ ପଚାରିବା ଉଚିତ ଯେଉଁ ସୁଶାସନର ପ୍ରତିଶ୍ରୁତି ଦିଆ ଯାଇଥିଲା ତାହାର କ’ଣ ହେଲା ?’ କ୍ଷମତାକୁ ଆସିବାର ମାତ୍ର ୧ ବର୍ଷ ପରେ ମଣିପୁରରେ ଏମିତି ସ୍ଥିତି ସୃଷ୍ଟି ହୋଇଛି । ଏବେ ଏଠାରେ ରାଷ୍ଟ୍ରପତି ଶାସନ ଜାରି ହେବାର ସମୟ ଆସିଛି ବୋାଲି କହିଛନ୍ତି ଥରୁର ।
Comments are closed.