Latest Odisha News

BREAKING NEWS

ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ, ଶୁଣାଣି ବେଳେ ସୁପ୍ରିମକୋର୍ଟ ପଚାରିଲେ ପ୍ରମାଣ କାହିଁ ?

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫସୁଛନ୍ତି ଜଣକ ପରେ ଜଣେ ଆପ୍ ନେତା। ଏହି ମାମଲାରେ ପୂର୍ବତନ ଅବକାରୀ ମନ୍ତ୍ରୀ ମନିଷ ସିସୋଦିଆ ଜେଲରେ ଥିବାବେଳେ ଗତକାଲି ଉକ୍ତ ମାମଲାରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି। ତେବେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସୁପ୍ରିମ କୋର୍ଟରେ ଜାରି ରହିଛି। ଆଜି ଜାମିନ ଶୁଣାଣି ସମୟରେ ଗିରଫଦାରୀର ପ୍ରମାଣ ମାଗିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ କୋର୍ଟ। ମାମଲାର ବିଚାର ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସ୍ ଭିଏନ୍ ଭଟ୍ଟିଙ୍କ ଖଣ୍ଡପୀଠ ପଚାରି ଥିଲେ, ସିସୋଦିଆଙ୍କ ବିରୋଧରେ ପ୍ରମାଣ କାହିଁ ? ତଦନ୍ତକାରୀ ଏଜେନ୍ସି ଉପସ୍ଥାପନ କରିଥିବା ସାକ୍ଷ୍ୟପ୍ରମାଣଗୁଡ଼ିକ ଗ୍ରହଣୀୟ ନୁହେଁ। ଏଭଳି ଦୀର୍ଘ ସମୟ ଯୁକ୍ତି ପରେ କୋର୍ଟ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଏହା ଅକ୍ଟୋବର ୧୨ ରେ ଶୁଣାଣି ହେବ।

ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବି ମନୀଷ ସିସୋଦିଆଙ୍କ ପକ୍ଷରୁ ଏହି ମାମଲା ଉପସ୍ଥାପନ କରିଥିଲେ। ସିଂଘବି ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଏହି ଅଭିଯୋଗ ଭିତ୍ତିହୀନ ଏବଂ ଏଥିରେ ପ୍ରମାଣ ହେଉନାହିଁ ଯେ ଆବେଦନକାରୀଙ୍କ ଏହି ଠକେଇରେ କୌଣସି ସମ୍ପର୍କ ନାହିଁ। ଅଭିଯୁକ୍ତ ବିଜୟ ନାୟାର ଆବେଦନକାରୀଙ୍କ ସହଯୋଗୀ ନୁହଁନ୍ତି। ଆଜି ସୁପ୍ରିମକୋର୍ଟରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଦ୍ୱିତୀୟ ଶୁଣାଣି ଥିଲା।

Comments are closed.