ମୁମ୍ବାଇ: ନେପାଳୀ ଲଳନା ମନୀଷା କୋଇରାଲା ୯୦ ଦଶକରେ ବଲିଉଡରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ସମୟରେ ଅନେକ ହିଟ ଦେଇଥିଲେ । ଏବେ ଏକ ସାକ୍ଷାତକାରରେ ମନୀଷା କହିଛନ୍ତି ଯେ, ସେ ସମୟରେ ମୁଁ ସଫଳତା ପାଇ ଗର୍ବୀ ହୋଇ ଯାଇଥିଲି । କମ ପରିଶ୍ରମରେ ସଫଳତା ପାଇଥିବାରୁ ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି । ମୁଁ ପ୍ରକୃତରେ ସେ ଭଳି ମହିଳା ନୁହେଁ । ପରିପକ୍ୱ ହେବା ପରେ ଭୁଲ ଠିକ ବୁଝି ପାରିଥିଲି ବୋଲି ମନୀଷା କହିଛନ୍ତି । ନିକଟରେ ମନୀଷା ସଞ୍ଜୟ ଲୀଲା ଭନ୍ସାଲୀଙ୍କ ହୀରାମଣ୍ଡିରେ ଅଭିନୟ କରିଥିଲେ । ତାଙ୍କ ଅଭିନୟକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏବେ ସେ ଏହାର ପରବର୍ତୀ ସଂସ୍କରଣରେ ମଧ୍ୟ ଅଭିନୟ କରିବେ ।
ମନୀଷା କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଜୀବନ ଲଢ଼େଇରେ ବିଜୟ ହାସଲ କରିଥିଲେ । ତାଙ୍କ ପ୍ରତ୍ୟାବର୍ତନକୁ ସମସ୍ତେ ସ୍ୱାଗତ କରିଥିଲେ । ସୌଦାଗର, ବମ୍ବେ, ଗୁପ୍ତ, ଅଗ୍ନିସାକ୍ଷୀ, କମ୍ପାନୀ ଓ ଅକେଲ ହମ ଅକେଲ ତୁମ ପରି ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିଲେ । ସେ ସମୟରେ କୋଇରାଲା ବଲିଉଡର ପ୍ରାୟ ସମସ୍ତ ବଡ ଅଭିନେତାଙ୍କ ସହ ଅଭିନୟ କରିଥିଲେ ।