Latest Odisha News

BREAKING NEWS

ରାଜ୍ୟସଭା ସସପେନ୍ସ: ମନାକଲେ ମନମୋହନ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ମୋଟ ୬ଟି ଆସନ ପାଇଁ ଉପନିର୍ବାଚନ ହେବ  । ଏଥିପାଇଁ ଓଡିଶାରେ ଜାରି ରହିଛି ସସପେନ୍ସ । କାହାକୁ ରାଜ୍ୟସଭାକୁ ପଠାଇବେ ବିଜେପିର ମୁରବୀ? ଏହି ପ୍ରସଙ୍ଗରେ  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚା ରହିଥିବା ବେଳେ ଏନେଇ ଆଜି ସ୍ପଷ୍ଟିକରଣ ଦେଇଛନ୍ତି ମନମୋହନ ।

ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ମନମୋହନ ସାମଲ । ସେ କହିଛନ୍ତି, ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ । ରାଜ୍ୟସଭା କିଏ ଯିବେ ସେନେଇ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ ।

ବିଜେଡିର ପୂର୍ବତନ ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଆଉ ଗୋଟିଏ ଆସନ ଖାଲିପଡ଼ିଛି।  ଯାହାକୁ ନେଇ ଡିସେମ୍ବର ୨୦ ତାରିଖ ଦିନ ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବେ। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ହରିୟାଣାରେ ରାଜ୍ୟସଭା ଆସନ ମଧ୍ୟ ଖାଲି ରହିଛି। ଏଥିପାଇଁ ଉପନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ଵର ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି । ୧୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ପରେ ପରେ ୧୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଏହା ପରେ ୨୦ ତାରିଖରେ ଭୋଟ୍ ଗ୍ରହଣ ହେବ ଆଉ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ।

ତେବେ କହିରଖୁଛୁ,  ବିଜେଡି ନେତା ମମତା ମହନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ପରେ ବିଜେଡି ନେତା ସୁଜିତ କୁମାର ମଧ୍ୟ ଇସ୍ତଫା ଦେଇଥିଲେ । ପରେ ଉଭୟ ବିଜେଡି ସହ ଯୋଗ ଦେଇଥିଲେ । ମମତାଙ୍କୁ ପୂର୍ବରୁ ବିଜେପି ରାଜ୍ୟସଭା ପଠାଇଥିବା ବେଳେ ସୁଜିତଙ୍କ ପାଇଁ ବିଜେପି ମମତା ଫର୍ମୁଲା ଆପଣାଇପାରନ୍ତି ବୋଲି ଚର୍ଚ୍ଚା । ପୁଣି ଥରେ ସୁଜିତ୍ ରାଜ୍ୟସଭା ଯାଇପାରନ୍ତି ନଚେତ୍ ଜଣେ ନୂଆ ଚେହେରା ଦେଇପାରେ ବିଜେପି ।

ଏନେଇ ଚର୍ଚ୍ଚାରେ ମନମୋହନଙ୍କ ନାଁ ଉଠୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ମନମୋହନ ।

Comments are closed.