Latest Odisha News

ବିଜେପି ସଭାପତିଙ୍କୁ ଭେଟିଲେ ମନମୋହନ ସାମଲ, ବଢ଼ିଲା ସଂଗଠନ ପରିବର୍ତ୍ତନ ଚର୍ଚ୍ଚା

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ଦଳରେ ସଂଗଠନ ପରିବର୍ତ୍ତନକୁ ନେଇ ଇସାରା ଦେଇଛି।

ଶ୍ରୀଯୁକ୍ତ ସାମଲ ଓଡ଼ିଶା ବିଜେପିର ସଭାପତି ହେବା ପରେ ଦଳର ସାଂଗଠନିକ ପରିବର୍ତ୍ତନର ପୁନର୍ଗଠନ ହେବ ବୋଲି ଚର୍ଟ୍ଟା ହେଉଛି। ଏଥିସହ ଆହୁରି ଆକ୍ରମଣାତ୍ମକ ମନୋଭାବ ରଖିଥିବା ଦେଖିବାକୁ ମିଳୁଛି। ଯାହାର ସଦ୍ୟ ଉଦାହରଣ ସମ୍ବଲପୁର ଘଟଣାରେ ଶାସକ ଦଳକୁ ଘନ ଘନ ଆକ୍ରମଣ କରିବା ଏବଂ ନବ ଦାସ ହତ୍ଯା ମାମଲାକୁ ଏଯାବତ ପ୍ରାସଙ୍ଗିକ କରି ରଖିବା। ହେଲେ ଏହାରି ଭିତରେ ଝାରସୁଗୁଡା ଉପନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ଯଦିଓ ବୃଦ୍ଧି ପାଇଛି ହେଲେ ଦଳର ଶୋଚନୀୟ ପରାଜୟ ସଂଗଠନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିପରି ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଆସି ରାଜ୍ୟର ବିଭିନ୍ନ ସ୍ଥାନ ଆସି ବୁଲି ଦେଖୁଛନ୍ତି। ଯେଉଁଥିରୁ ପୁର୍ବାନୁମାନ ହେଉଛି ବିଜେପି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଅଧିକ ଫୋକସ କରୁଛି। ତେଣୁ ନୂଆ ଟିମ ତିଆରି କରି ସଂଗଠନକୁ ସହିତ ବୁଥ ସ୍ତରକୁ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି।

ସେହିପରି ରାଜ୍ୟ ବିଜେପିର ଅନେକ ଭେଟେରାନ ନେତା ଏବେ କୋଣଠେସା ହୋଇ ରହିଛନ୍ତି। ସେହି ସବୁ ନେତାଙ୍କୁ ଏବେ ଦଳରେ ବିଭିନ୍ନ ଦାୟିତ୍ୱ ଦେବା ସହିତ ତାଙ୍କର ଅଭିଜ୍ଞତାକୁ ବ୍ୟବହାର କରି ଶାସକ ଦଳ ବିଜେଡି ବିରୋଧରେ ଏକ ମଜବୁତ ସଂଗଠନ ଗଢ଼ିବାକୁ ଯୋଜନା କରୁଛି।

ଉଲ୍ଲେଖଯୋଗ୍ଯ, ଏହାପୂର୍ବରୁ ଏପ୍ରିଲ ମାସ ଦ୍ବିତୀୟ ସପ୍ତାହରେ ଶ୍ରୀଯୁକ୍ତ ସାମଲ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ନେତାଙ୍କୁ ଭେଟିଥିଲେ। ଏମିତିକି ଦଳର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଥିଲେ।

ବିଜେପିର ଟାର୍ଗେଟ ୫୧%ରୁ ଅଧିକ ଭୋଟ। ଓଡିଶାକୁ ନେଇ କେନ୍ଦ୍ରୀୟ ନେତା ଗମ୍ଭୀର ଅଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନର ସରକାର ଲକ୍ଷ୍ୟ। କେନ୍ଦ୍ରରେ ପୁଣି ବିଜେପି ସରକାର ଗଢ଼ିବ। ଓଡିଶାରେ ବି ସରକାର ପରିବର୍ତ୍ତନ ହେବ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ ରହିଛି ବୋଲି ସାମଲ କହିଥିଲେ।

ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତା ଓଡିଶାରେ ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତା ମାନେ ପ୍ରତିଶ୍ରୁତି ଦେଇଥିବା ସେତେବେଳେ କହିଥିଲେ ରାଜ୍ୟ ବିଜେପି ସଭାପତି। ସେତେବେଳେ ସାମଲ କହିଥିଲେ କର୍ଣ୍ଣାଟକ ନିର୍ବାଚନ ପରେ ଦଳର ସଭାପତିଙ୍କୁ ଭେଟିବେ। ଯାହା ଆଜି ହୋଇଛି। ତେଣୁ ରାଜ୍ୟ ବିଜେପି ୟୁନିଟରେ ଗୋଟିଏ ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

Comments are closed.