ନୂଆଦିଲ୍ଲୀ: ଆରପାରିର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତ ହରାଇଛି ଜଣେ ମହାନ୍ ଅର୍ଥନୀତିଜ୍ଞ ଆଉ ଜଣେ ସରଳ ବ୍ୟକ୍ତିତ୍ବ ମାର୍ଗଦର୍ଶକ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ବର୍ତ୍ତମାନ ଦିଲ୍ଲୀ ସ୍ଥିତ ଥ୍ରୀ ମୋତିଲାଲ ନେହରୁ ମାର୍ଗ ତାଙ୍କ ବାସଭବନରେ ମନମୋହନଙ୍କ ପାର୍ଥୀବ ଶରୀର ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜେପି ନଡ୍ଡା ଆଜି ଡକ୍ଟର ସିଂ ବାସଭବନ ଯାଇ ତାଙ୍କ ଶେଷ ଦର୍ଶନ କରିଛନ୍ତି । ଏଥିସହିତ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରୁଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶନିବାର ତାଙ୍କର ଶେଷକୃତ୍ୟ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
ପ୍ରଖ୍ୟାତ ଅର୍ଥନୀତିଜ୍ଞ, ଭାରତବର୍ଷରେ ଜଗତୀକରଣ ଅର୍ଥନୀତିର ପ୍ରବର୍ତ୍ତକ ଥିଲେ ମନମୋହନ ସିଂହ । ଅତି ସରଳ, ଅତି ଅମାୟିକ ଓ ଅତ୍ୟନ୍ତ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ରହିଥିଲେ । ଗତବର୍ଷ ଏପ୍ରିଲରେ ରାଜ୍ୟସଭା ସାଂସଦ ଭାବରେ ଅବସର ନେଇଥିଲେ ମନମୋହନ ସିଂହ । ତାଙ୍କୁ ୧୯୮୭ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ମନମୋହନ ସିଂ ଜଣେ ଭାରତୀୟ ଅର୍ଥଶାସ୍ତ୍ରୀ ଓ ୨୦୦୪-୨୦୧୪ ଯାଏଁ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। ସିଂ ଭାରତରର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀ ଥିଲେ। ଗାହ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)ରେ ଜନ୍ମିତ ସିଂ ଓ ତାଙ୍କ ପରିବାର ୧୯୪୭ ମସିହାରେ ଦେଶ ବିଭାଜନ ସମୟରେ ଭାରତ ଆସିଥିଲେ। ସେଠାରେ ସେ ହିନ୍ଦୁ କଲେଜରେ ନିଜର ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ଅର୍ଥଶାସ୍ତ୍ରରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ୧୯୫୨ ଓ ୧୯୫୪ରେ ପାଇଥିଲେ । ସେ ଅର୍ଥଶାସ୍ତ୍ରରେ ଟ୍ରିପୋସ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରାପ୍ତ କରିଥିଲେ ସେହି ସମରେ ସିଂହ ସେଣ୍ଟ ଜର୍ଜ କଲେଜର ସଦସ୍ୟ ଥିଲେ । କେମ୍ବ୍ରିଜରେ କାର୍ୟକାଳ ଶେଷ କରି ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଲେ । ୧୯୬୦ ମସିହାରେ ସିଂହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ D.Phil କରିବାକୁ ଯାଇଥିଲେ ଏବଂ ନୁଫିଲ୍ଡ କଲେଜର ସଦସ୍ୟ ଥିଲେ ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟ ପ୍ରାପ୍ତ କରି , ୧୯୬୬-୬୯ ଯାଏଁ ଜାତିସଂଘରେ ଯୋଗ ଦେଇଥିଲେ। ଲଲିତ ନାରାୟଣ ମିଶ୍ରଙ୍କ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ମୁଖ୍ୟ ପରାମର୍ଶଦାତା ହୋଇ ସେ ନିଜର ବ୍ୟୁରୋକ୍ରାଟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୯୭୦ ଓ ୮୦ ଦଶକରେ ସିଂହ ଭାରତ ସରକାରଙ୍କ ବହୁତ ମୁଖ୍ୟ ପଦରେ ଥିଲେ, ଯେମିତି ମୁଖ୍ୟ ଅର୍ଥ ପରାମର୍ଶଦାତା (୧୯୭୨-୭୬) , ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର (୧୯୮୨-୮୫) ଓ ଯୋଜନା ଆୟୋଗ ମୁଖ୍ୟ (୧୯୮୫-୮୭)। ୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟରେ ଥିବା ସମୟରେ ଦେଶ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ ଆଶ୍ଚର୍ଯରୁପେ ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। ସେ ଅର୍ଥ ମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଡା ବ୍ୟବସ୍ଥା କରିଥିଲେ। ଏହି ଉପାୟ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଥିବା ସଂକଟକୁ ଟାଳିବାରେ ସେ ସଫଳ ହୋଇଥିଲେ, ଏବଂ ନିଜକୁ ବିଶ୍ୱ ଦରବାରରେ ଏକ ମହାନ ଅର୍ଥଶାସ୍ତ୍ରୀ ଭାବେ ପ୍ରୟୋଜିତ କରିଥିଲେ।
ଏକଦା ବ୍ରିଟିଶ ସାମ୍ବାଦିକ ମାର୍କ ଟୁଲିଙ୍କ ସହିତ ୨୦୦୫ର ଏକ ସାକ୍ଷାତକାରରେ ସିଂହ ତାଙ୍କ ରାଜନୀତି ଜୀବନୀ ବିଷୟରେ କହିଥିଲେ, “ଯେଉଁ ଦିନ ରାଓ ନିଜ କ୍ୟାବିନେଟ ଗଠନ କରୁଥିଲେ, ସେ ନିଜ ପ୍ରମୁଖ ସଚିବଙ୍କୁ ମୋ ନିକଟକୁ ପଠାଇଥିଲେ କହିବା ପାଇଁ କି , ‘ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ତୁମକୁ ନିଜର କ୍ୟାବିନେଟରେ ଅର୍ଥମନ୍ତ୍ରୀ କରିବା ପାଇଁ’.ମୁଁ ଏହାକୁ ଗମ୍ଭିର ରୂପେ ନେଇନଥିଲି। ପରଦିନ ସକାଲେ ପ୍ରଧାନମନ୍ତ୍ରୀ ରାଗିକି ମତେ ଖୋଜିଲେ ,ମୁଁ ସଜ ହୋଇ ସପଥ ନେବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଛି ଗଲି। ଏଠୁ ମୋର ରାଜନୀତି ଜୀବନ ଆରମ୍ଭ ହୋଇଥିଲା ।”