Latest Odisha News

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ: ମନେରହିବ ତାଙ୍କର ସେ ଅମାୟିକ ସ୍ବଭାବ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ତିନି ସେନାର ସଲାମି ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ନିଗମବୋଧ ଘାଟରେ ସ୍ବର୍ଗତ ମନମୋହନ ଅନ୍ତିମ ସଂସ୍କାର କାର୍ଯ୍ୟ ସଂମ୍ପନ୍ନ କରାଯାଇଛି । ଆଜି ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଛନ୍ତି ମନମୋହନ । ହେଲେ ତାଙ୍କର ସେ ଧୀର..ନମ୍ର.. ସ୍ବର ଆଜି ବି ପ୍ରତିଟି ଭାରତୀୟ ପ୍ରାଣରେ ଗୁଞ୍ଜରିତ ହେଉଛି ।

ତେବେ ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଏଥିସହିତ ଭୁଟାନ ରାଜା ଏବଂ ମରିସସର ବୈଦେଶିକ ମନ୍ତ୍ରୀ ମଧ୍ୟ ତାଙ୍କ ଶେଷ କୃତ୍ୟ ସମୟରେ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଦେିଛନ୍ତି । ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହୋଇଛି । ପ୍ରଥମେ ସକାଳ ସାଢ଼େ ୯ଟାରେ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରରେ ନିଗମ ବୋଧ ଘାଟ ଅଣାଯାଇଥିଲା । ସେଠାରେ ଶେଷ ଥର ପାଇଁ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦର୍ଶନ କରିଥିଲେ ପରିବାର ବର୍ଗ ଏବଂ ଅନେକ ମାନ୍ୟଗଣ ବ୍ୟକ୍ତି । ଏହାପରେ ୩ ସେନାଙ୍କ ପକ୍ଷରୁ ମନମୋହନଙ୍କୁ ସଲାମି ଦିଆଯାଇଥିଲା । ଏହାପରେ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ୯୨ ବର୍ଷ ବୟସରେ ଆଖି ବୁଜିଥିଲେ ମନମୋହନ ସିଂହ । ଆଜି ତାଙ୍କ ଭଳି ବ୍ୟକ୍ତିତ୍ବକୁ ଝୁରୁଛି ଦେଶ । ଯେତିକି ବିନମ୍ର ସେତିକି ବିଦ୍ୱାନ୍ ଓ ବିଚକ୍ଷଣ । ବ୍ୟକ୍ତିତ୍ୱ ଅମାୟିକ, ଶନ୍ତ ସ୍ବାଭାବର । କମ୍ କୁହନ୍ତି ହେଲେ କାମରେ ଅଧିକ କରି ଦେଖାଇବା ବ୍ୟକ୍ତିତ୍ବ ତାଙ୍କର । ଆଉ ଅର୍ଥନୀତିର ଥିଲେ ଭାଷ୍ମପୀତାମହ ।

ଶିକ୍ଷକତାରୁ ସିଭିଲ୍ ସର୍ଭିସ୍… ପ୍ରଧ୍ୟାପନାରୁ ପ୍ରଶାସକ। ଆଉ ବନିଥିଲେ ଅଚାନକ ଅର୍ଥମନ୍ତ୍ରୀରୁ ୨ ୨ଥର ପ୍ରଧାନମନ୍ତ୍ରୀ । ୧୯୭୨ରୁ ୧୯୯୧ ମଧ୍ୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର, ୟୁଜିସି ଚେୟାରମ୍ୟାନ ବନିଥିଲେ । ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ତାଙ୍କ କାର୍ଯ୍ୟକାଳ ଭିତରେ ଦେଶର ଅର୍ଥନୀତି ଶିଖର ଛୁଇଁଥିଲା । ୧୯୯୧ରେ ଦେଶ ଯେତେବେଳେ ଦେବାଳିଆ ହେବାକୁ ବସିଥିଲା, ବୈଦେଶିକ ମୁଦ୍ରା ଭଣ୍ଡାର ଆଉ ମାତ୍ର ୨-୩ ସପ୍ତାହ ପାଇଁ ବଳିଥିଲା, ସେତେବେଳେ ବିଳମ୍ବିତ ରାତିରେ ମନମୋହନଙ୍କୁ ଆସିଥିବା ଗୋଟିଏ କଲ୍ ଭାରତ ଅର୍ଥନୀତିର ପଟ୍ଟ ପରିବର୍ତ୍ତନ କରିଥିଲା । ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିହ୍ମା ରାଓ । ଅର୍ଥନୈତିକ ଉଦାରୀକରଣ ମାଧ୍ୟମରେ ଦେଶକୁ ଦେବାଳିଆ ସ୍ଥିତିରୁ ରକ୍ଷା କରି ମନମୋହନ ସିଂ ସାଜିଥିଲେ ଆଧୁନିକ ଅର୍ଥନୀତିର ମଙ୍ଗୁଆଳ । ଆଉ ୨୦୦୪ରେ ସେମିତି ସମସ୍ତଙ୍କୁ ଚକିତ କରି ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା ଉପା ସରକାର । ୨୦୦୮ରେ ବିଶ୍ୱ ଅର୍ଥନୀତିକୁ ବିରାଟ ମାନ୍ଦାବସ୍ଥା କବଳିତ କରିଥିବା ବେଳେ, ମନମୋହନଙ୍କ ଅର୍ଥନୈତିକ ସଂସ୍କାର ବଳରେ ଭାରତ ବିଶେଷ ପ୍ରଭାବିତ ହୋଇନଥିଲା ।

୨୦୦୪ରୁ ୨୦୧୪ ତାଙ୍କର କ୍ରମାଗତ ଦୁଇଥର ପ୍ରଧାନମନ୍ତ୍ରୀତ୍ୱ ଭିତରେ କାର୍ଯ୍ୟକାରୀ ହୋଇଥିଲା ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଆଇନ, ମନରେଗା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଆଦି ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା ତାଙ୍କ କାର୍ଯ୍ୟକାଳରେ ସଫଳ ଯୋଜନା । ଯାହାର ଫୋକସରେ ଥିଲେ ଗ୍ରାମୀଣ ଓ ମଧ୍ୟବିତ୍ତ । ତାଙ୍କରି ସମୟରେ ହିଁ ହୋଇଥିଲା ଆଧାର କାର୍ଡର ସୂତ୍ରପାତ ।

ପ୍ରଧାନମନ୍ତ୍ରୀ ଭାବେ ଶେଷ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଥିଲେ, ଭାରତ-ଆମେରିକା ଆଣବିକ ଡିଲ୍ ତାଙ୍କ ପାଇଁ ସବୁଠୁ ବଡ଼ ମୂହୁର୍ତ୍ତ ଏବଂ ବଡ଼ ଅବଶୋଷ ହେଉଛି- ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆହୁରି ବହୁତ କିଛି କରିବାକୁ ବାକି ରହିଗଲା । ଦୁର୍ନୀତି ରୋକିବାରେ ବିଫଳତାକୁ ନେଇ ପଚରାଯିବାରୁ, ସେ ଅଳ୍ପ ହସି କରି କହିଥିଲେ- ମୁଁ ଭାବୁଛି, ମୋର ମୂଲ୍ୟାଙ୍କନ ବେଳେ, ଇତିହାସ ମୋ ପ୍ରତି ସଦୟ ହେବ ।

୩୩ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ଥିଲେ ମନମୋହନ ସିଂହ । ଗତବର୍ଷ ସେ ଅବସର ନେଇଥିବା ବେଳେ, ଶେଷ ବେଳକୁ ହ୍ୱିଲ ଚେୟାରରେ ବସି ସଂସଦ ଆସୁଥିଲେ । ୫ଟି ବାଇପାସ୍ ସର୍ଜରୀ, ଡାଇବେଟିସ୍, କୋଭିଡ୍ ଓ ବୟସାଧିକ୍ୟ ଯୋଗୁଁ କ୍ରମାଗତ ଅସୁସ୍ଥତା ଭୋଗୁଥିବା ମନମୋହନ ଗତ ଗୁରୁବାର ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଆଜି ପଞ୍ଚଭୂତରେ ଲୀନ ହୋଇଛି ତାଙ୍କର ପାର୍ଥୀବ ଶରୀର ।

Leave A Reply

Your email address will not be published.