Latest Odisha News

BREAKING NEWS

ମନୋଜ ଆହୁଜା ହୋଇପାରନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ଅଫିସ ମନୋଜ ଆହୁଜା ହୋଇପାରନ୍ତି ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ। ଜୁନ୍ ୩୦ରେ ଏବେର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ପ୍ରଦୀପ ଜେନାଙ୍କ ଅବସର ପୂର୍ବରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କ ନାମ ଉପରେ ମୋହର ମାରିପାରନ୍ତି ମୋହନ ସରକାର।

ମଙ୍ଗଳବାର ଦିନ କେନ୍ଦ୍ର କ୍ୟାବିନେଟର ଆପଏଂଟମେଂଟ କମିଟି ଆହୁଜାଙ୍କୁ ଓଡିଶା ସରକାରକୁ ଫେରାଇ ଦେଇଛନ୍ତି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ସେ କେନ୍ଦ୍ର ସରକାରରେ କୃଷି ସଚିବ ଏବଂ ଚାଷୀ କଲ୍ୟାଣ ସଚିବ ଭାବେ କାର୍ଯ୍ୟରତ।

ମନୋଜ ଆହୁଜା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର। ସେ ପଟିଆଲାସ୍ଥିତ ଥାପର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଡିଗ୍ରୀ, ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ ଏବଂ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନ (ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ)ରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ଅନେକ ପ୍ରଶିକ୍ଷଣ ମଡ୍ୟୁଲ ଏବଂ ଗବେଷଣା ପତ୍ର ତାଙ୍କ ନାମରେ ଅଛି, ତାଙ୍କୁ ଏକ ବ୍ୟାପକ ଅଭିଜ୍ଞତା ଏବଂ ବୃତ୍ତିଗତତାର ଶ୍ରେୟ ଦିଆଯାଏ।

ମନୋଜ ଆହୁଜା ଯୁଗ୍ମ ନିର୍ଦ୍ଦେଶକ (କାର୍ମିକ ପ୍ରଶିକ୍ଷଣ/ କାର୍ମିକ ଓ ସାଧାରଣ ପ୍ରଶାସନ), କମିଶନର ଓ ସଚିବ (ଇସ୍ପାତ ଓ ଖଣି, କ୍ରୀଡ଼ା ଓ ଯୁବ ସେବା) ଭଳି ଅନେକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ସେ ଭାରତ ସରକାରଙ୍କ ସଚିବ ପାହ୍ୟାରେ ଶିକ୍ଷା ମନ୍ତ୍ରଣାଳୟର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଓଡିଶାରେ ପୂର୍ବରୁ ସେ ବିଭିନ୍ନ ବିଭାଗର ସଚିବ ଏବଂ କମିଶନର ମଧ୍ୟ ଥିଲେ। ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ୨୦୨୩ ଡିସେମ୍ବର ୩୧ ତାରିଖରେ ଶେଷ ହେଉଥିଲା। ହେଲେ ରାଜ୍ୟ ସରକାର ଏହି ଅବଧିକୁ ୬ ମାସ ବୃଦ୍ଧି କରିଥିଲେ। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ପ୍ରଦୀପ କୁମାର ଜେନାଙ୍କ ସେବାକୁ ୨୦୨୪ ଜାନୁଆରି ପହିଲାରୁ ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା।

୧୯୮୯ ମସିହାର ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନା ୨୦୨୩ ମାର୍ଚ୍ଚ ପହିଲାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁରେଶ ଚନ୍ଦ୍ର ମହାପାତ୍ରଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ପ୍ରଦୀପ ଜେନା ଉନ୍ନୟନ କମିଶନର ଓ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓଏସଡିଏମଏ)ର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ।

ପ୍ରଦୀପ ଜେନା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଏବଂ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଆଇଟି ଓ ଶକ୍ତି ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ।

Comments are closed.