ଭୁବନେଶ୍ବର: କ୍ଷମା ମାଗିଲେ ମନୋଜ ମିଶ୍ର । ‘ରାଣ୍ଡି ପୁଅ ଅନନ୍ତା’କୁ ନେଇ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବିରୋଧରେ ବିବାଦୀୟ ବୟାନ୍ ମହଙ୍ଗା ପଡିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ ।
ଏନେଇ ମନୋଜ ନିଜ ସୋସିଆଲ ମିଡିଆରେ ଭିଟିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି । ସେ କହିଛନ୍ତି, ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ। ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ ଉଲ୍ଲେଖ କରି କ୍ଷମା ପ୍ରାର୍ଥନା କରିଛନ୍ତି ।
ତେବେ କହିରଖୁଛୁ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’କୁ ନେଇ ବ୍ରିଭାନ୍ତିକର ମନ୍ତବ୍ୟ ଦେଇଥିଲେ । ବିଶେଷ କରି ଫିଲ୍ମ ନାଁରେ ଥିବା ‘ରାଣ୍ଡି’ ଶବ୍ଦକୁ ନେଇ ଆପତ୍ତି ଉଠାଇ ଏହାର ଅର୍ଥ କ’ଣ ବୋଲି ପ୍ରଶ୍ନ କରିଥିଲେ । ଏଥିସହିତ ଫକୀର ମୋହନ ସେନାପତି ଏହାକୁ କପି କରିଥିଲେ ବୋଲି ମନ୍ତବ୍ୟ ଦେଇଥିଲେ ।
ଏଭଳି ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା। ଏନେଇ ଗତକାଲି ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ନ ହେଲେ କଥା କୋର୍ଟକୁ ଯିବ ବୋଲି ଚେତାବନୀ ଦେଇଥିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।