ଭୁବନେଶ୍ୱର: ଗଜପତି ବିଧାନସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଗଜପତି ନିର୍ବାଚନମଣ୍ଡଳୀର ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଶାଣୀ ବ୍ଲକ ରମ୍ପା ପଞ୍ଚାୟତର ସରପଞ୍ଚ ଝୁନି ସବର, ନିରଂଜନ ଶବରଙ୍କ ସମେତ ଶତାଧିକ ବିଜେପି କର୍ମୀ ଦଳ ଛାଡି ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡିରେ ଯୋଗଦାନ ପରେ ବିଜେପି କର୍ମୀମାନେ କହିଥିଲେ, ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ । ଦଳ ଆମକୁ ଯେଉଁ ଦାୟିତ୍ୱ ଦେବ ତାହାକୁ ଆମେ ସୁଚାରରୂପେ ସମ୍ପାଦନ କରିବୁ । ଆଗାମୀ ଦିନରେ ଦଳକୁ ଗଜପତି ନିର୍ବାଚନମଣ୍ଡଳୀରେ ମଜଭୁତ କରିବାକୁ ପାଇଁ କାମ କରିବୁ ।
ଗତକାଲି ବାଲେଶ୍ୱର ଜିଲ୍ଲାର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାର ବିଜେପି କର୍ମୀ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲା ବେଳେ ଆଜି ଗଜପତି ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି ।
ଏହା ସୂଚାଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ବିଜୁ ଜନତା ଦଳ ପ୍ରତି ଗ୍ରହଣୀୟତା ତଥା ଆସ୍ଥା ଭାଜନ ଧିରେ ଧିରେ ବଢିବାରେ ଲାଗିଛି ଅନ୍ୟପଟେ ବିଜେପି ସରକାର ପ୍ରତି ଲୋକଙ୍କ ବିମୁଖତା ଦେଖିବାକୁ ମିଳୁଛି ।
ଏହି ମିଶ୍ରଣପର୍ବରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସୁର ମହାପାତ୍ର, ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଭୀର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ବାଲ୍ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।