ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ସେପଟେ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇ ରହଛି ପୁରୀ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିର । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି । ଆଗକୁ ୫୦ ମିଟର ଦେଖିବା କଷ୍ଟକର ହୋଇଯାଇଛି ।
ସେପଟେ ଆଜିଠାରୁ ଶୀତର ପ୍ରକୋପ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭଅଗ । ପୁଣି ଉପରମୁହାଁ ହେବ ପାରଦ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସହ ଶୀତର ପରିମାଣର ମଧ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ବର୍ତ୍ତମାନ ସାରା ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ୭ଦିନ ଯାଏଁ ଏଭଳି ପାଗ ଲାଗି ରହିବ । ଉତ୍ତର-ପୂର୍ବ ଭାରତରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଫଳରେ ଶୀତ ଲହରୀ ଜାରି ରହିଛି ।
ସେହିପରି ପଶ୍ଚିମା ଝଡର ପ୍ରଭାବରେ ଆଜିଠୁ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ବୃଦ୍ଧି ହେବା ସହ ରାଜ୍ୟରେ ଶୀତ କମିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ବଢିବ ।
ତେବେ ଆଜି ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, କଳହାଣ୍ଡି, କୋରାପୁଟ, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ,ବଲାଙ୍ଗୀର ସମେତ ଟୁଇନ୍-ସିଟି କଟକ ଏବଂ ଭୁବନେଶ୍ବରରେ ଶୀତର ପ୍ରକୋପ ଅନୁଭୁତ ହେବ । ଥଣ୍ଡା ସହ ଘନକୁହୁଡିର ପ୍ରଭାବ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିବ । ଏଥିପାଇଁ ୫ଟି ଜିଲ୍ଲା ସୁନ୍ଦରଗଡ, କଳାହାଣ୍ଡି ,କେନ୍ଦୁଝର, କନ୍ଧମାଳ ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘନ କୁହୁଡି ଦେଖାଯିବା ସହ ଦୃଶ୍ୟମାନ ଦୂରତା ପ୍ରାୟ ୫୦ ମିଟର ତଳକୁ ଖସିଆସିବ ।