ଭୁବନେଶ୍ବର: ଜେଲରୁ ପାଠ ପଢିବେ ମାଓ ନେତା ସବ୍ୟସାଚୀ ପଣ୍ଡା। ସେ ଜେଲରେ ରହି ଏମ.ଏ ପଢିବେ। କୁଖ୍ୟାତ ମାଓ ନେତା ସବ୍ୟସାଚୀ ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ ଦେଉଛନ୍ତି। ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ ପୁଣି ପିଜି କରିବେ।
ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସରକାରୀ କଲେଜରୁ ପୂର୍ବରୁ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି। ଏବେ ସେ ଜେଲରେ ଥାଇ ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟି (OSOU)ରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପାଠ ପଢୁଛନ୍ତି । ତାଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ଦେବେ ପରୀକ୍ଷା। ଏଥିପାଇଁ ସେମାନଙ୍କୁ ଜେଲ୍ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି। ଜେଲ୍ ଶିକ୍ଷକ ମଧ୍ୟ ସେମାନଙ୍କୁ ପଢିବାରେ ସହଯୋଗ କରୁଥିବା ସୂଚନା ମିଳିଛି।
ପ୍ରକାଶ ଥାଉକି, ନୟାଗଡ଼ ରଣପୁରର ତିନି ତିନିଥରର ସିପିଆଇ(ଏମ୍) ବିଧାୟକ ରମେଶ ପଣ୍ଡାଙ୍କ ପୁଅ ତଥା କୁଖ୍ୟାତ ମାଓବାଦୀ ହେଉଛନ୍ତି ସବ୍ୟସାଚୀ ପଣ୍ଡା। ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ସାଜିଥିବା ମାଓନେତା ସବ୍ୟସାଚୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର। ୧୮ ଜୁଲାଇ ୨୦୧୪ରେ ବ୍ରହ୍ମପୁର ବଡ଼ବଜାର ଅଂଚଳରୁ ସେ ଗିରଫ ହୋଇଥିଲେ। ସବ୍ୟସାଚୀଙ୍କ ନାଁରେ ୧୩୦ରୁ ଅଧିକ ମାଓ ହିଂସା ସହ ଜଡିତ ମାମଲା ରହିଛି। ନୟାଗଡ଼ରେ ନକ୍ସଲ ଆକ୍ରମଣ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡରେ ସେ ପ୍ରମୁଖ ଭୂମିକା ନିଭାଇ ଥିଲେ । ୨୦୦୮ରେ ନୟାଗଡ଼ ସହରରେ ଥିବା ଜିଲ୍ଲା ଅସ୍ତ୍ରାଗାର ଏବଂ ପୁଲିସ୍ ଟ୍ରେନିଂ ସ୍କୁଲ୍ ଉପରେ ଆକ୍ରମଣ କରି ସାରା ରାଜ୍ୟକୁ ଦୋହଲାଇ ଦେଇଥିଲେ ସବ୍ୟସାଚୀ। ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଆଜୀବନ ସଜା କାଟୁଛନ୍ତି।