ମାଲକାନଗିରି: ମାଓ ସଂଗଠନର ବଡ଼ ଆକ୍ସନ୍। ଟପ୍ ମାଓବାଦୀ ହିଡ଼ମାକୁ ବଡ଼ ପଦବୀରୁ ହଟାଇଲା ମାଓ ସଂଗଠନ। ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍ ମାଓ ନେତା ଚଲପତି ରାଓଙ୍କ ସମେତ ବହୁ ମାଓବାଦୀ ମୃତାହତ ହେବା ପରେ ରଣନୀତିରେ ପରିବର୍ତ୍ତନ କରିଛି କେନ୍ଦ୍ରୀୟ କମିଟି। ସଂଗଠନ ସୁଦୃଢ଼ କରିବାକୁ ବଡ଼ଧରଣର ଅଦଳବଦଳ ହୋଇଛି।
ବସ୍ତର ଡିଭିଜନ୍ ମୁଖ୍ୟ ଭାବେ କାମ କରୁଥିବା ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମାଙ୍କୁ ହଟାଇ କେନ୍ଦ୍ରୀୟ କମିଟି ପତିରାମ ମାଝୀଙ୍କୁ ଦାୟିତ୍ବ ପ୍ରଦାନ କରିଛି। ଏଥିସହିତ କେନ୍ଦ୍ରୀୟ କମିଟି ତାଲିକାରେ ସାମିଲ୍ ହୋଇଛନ୍ତି ୧୨ ନୂଆ ମୁହଁ। ସେହିପରି ଅନେକ ଟପ୍ ମାଓବାଦୀ ଏନକାଉଣ୍ଟରରେ ନିହତ ହେବା ପରେ ହିଡ଼ମାକୁ ପଦବୀରୁ ହଟାଯାଇଛି। ଗରିୟାବନ୍ଧ ଏନକାଉଣ୍ଟର, ବିଜାପୁର ଏନକାଉଣ୍ଟରରେ ଅନେକ ଟପ କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ହିଡ଼ମା ମାଓ କ୍ୟାମ୍ପରୁ ଛତ୍ର ଭଙ୍ଗ ଦେଇ ଖସି ପଳାଇଥିଲା। ଏହାପରେ ମାଓ ସଙ୍ଗଠନ ହିଡ଼ମାକୁ ପଦଚ୍ୟୁତ କରିଛି।
କେନ୍ଦ୍ରୀୟ କମିଟିରେ ଦୁର୍ଦ୍ଦାନ୍ତ ମାଓନେତା ମାଡବୀ ହିଡ଼ମାଙ୍କ ନାଁ ନାହିଁ। ତାଙ୍କ ଜାଗା ନେଇଥିବା ପତିରାମ ମାଝୀଙ୍କ ନାମରେ ଛତିଶଗଡ଼ ସରକାର ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଆଗାମୀ ଦିନରେ ହିଡ଼ମା ପିଏଲ୍ଜିଏ ବାଟାଲିୟନ୍ର ନେତୃତ୍ବ ନେବ ନାହିଁ। ଛତିଶଗଡ଼ରେ ଦୁଇଟି ବଡ଼ ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ହିଡ଼ମା। ବସ୍ତରର ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମାକୁ ଲୋକେ ଆଜି ବି ଭୟ କରନ୍ତି। ବିଜାପୁର ଲ୍ୟାଣ୍ଡମାଇଁନ ବିସ୍ପୋରଣରେ ୮ଯବାନ ସହିଦ ଘଟଣା ଏବଂ ଗଡ଼ଚିରୋଲୀ ଜଙ୍ଗଲରେ ୬୭ଜଣ ଯବାନ ସହିଦ ଭଳି ଅନେକ ବଡ଼ବଡ଼ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା ହିଡ଼ମା।
Comments are closed.