Latest Odisha News

BREAKING NEWS

‘ମାଓବାଦୀ ଶେଷ, ଏବେ ଦିମାଗୀ ନକ୍ସଲଙ୍କ ପାଳି’; ରାହୁଲ ଗାନ୍ଧୀଙ୍କ ବୟାନରେ କିରେନ ରିଜିଜୁଙ୍କ କଡ଼ା ଜବାବ

ନୂଆଦିଲ୍ଲୀ: ଦେଶରେ ମାଓବାଦ ଏବଂ ‘ଦିମାଗୀ ନକ୍ସଲ’ ପ୍ରସଙ୍ଗକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା ଉପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଡ଼ା ପାଲଟା ଆକ୍ରମଣ କରିଛନ୍ତି। ସଶସ୍ତ୍ର ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ଉଚିତ ବୋଲି ରିଜିଜୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ରବିବାର ଛତିଶଗଡ଼ର ବସ୍ତରଠାରେ ସିଆରପିଏଫ୍ ଯବାନମାନଙ୍କ ସହ ଦୀପାବଳି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇଥିଲେ। ଜଙ୍ଗଲରୁ ସଶସ୍ତ୍ର ନକ୍ସଲ ସଫା ହୋଇସାରିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ ବୋଲି ସେ ସତର୍କ କରାଇଥିଲେ। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନରେ ପଶିଥିବା ‘ଦିମାଗୀ ନକ୍ସଲ’ ମାନେ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧରେ ଲୋକଙ୍କୁ ଉସୁକାଉଥିବା ମୋଦି ଅଭିଯୋଗ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ସୋମବାର ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ‘ଏକ୍ସ’ ରେ ତୀବ୍ର ପ୍ରତିକ୍ରିୟା ରଖିଥିଲେ। ଯବାନମାନେ ପ୍ରଧାନମନ୍ତ୍ରୀଙ୍କ ମିଛ ଉପରେ ଭରସା କରିନାହାନ୍ତି ବୋଲି ଦାବି କରିବା ସହ ରାହୁଲ ମୋଦିଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଥିଲେ। ଏହି ବିତର୍କ ପରେ ପ୍ରଧାନମନ୍ତ୍ରୀ ଆଉ କୌଣସି ଯବାନଙ୍କ ସାମ୍ନାରେ ଠିଆ ହେବାକୁ ସାହସ କରିପାରିବେ ନାହିଁ ବୋଲି ସେ କହିଥିଲେ।

ରାହୁଲଙ୍କ ଏହି ଆହ୍ୱାନର ଜବାବ ଦେଇ କିରେନ ରିଜିଜୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପୁରୁଣା ବୟାନକୁ ମନେ ପକାଇ ଦେଇଛନ୍ତି। ବାମପନ୍ଥୀ ଉଗ୍ରବାଦ ଓ ନକ୍ସଲବାଦକୁ ମନମୋହନ ସିଂହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ସବୁଠାରୁ ବଡ଼ ବିପଦ ବୋଲି କହିଥିଲେ। ମୋଦି ସରକାର ସଶସ୍ତ୍ର ମାଓବାଦୀଙ୍କୁ ଶେଷ କରିସାରିଛନ୍ତି ଏବଂ ଏବେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ‘ଦିମାଗୀ ନକ୍ସଲ’ଙ୍କ ମୂଳୋତ୍ପାଟନ କରିବା ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି। ଏହି ବୟାନବାଜି ପରେ ଜାତୀୟ ରାଜନୀତିରେ ନୂଆ ବିତର୍କ ସୃଷ୍ଟି ହୋଇଛି।

ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ସଂସଦଠାରୁ ଆରମ୍ଭ କରିରାଜ୍ୟ ରାଜନୀତି ପର୍ଯ୍ୟନ୍ତ ସରଗରମ ପରିସ୍ଥିତି ଜାରି ରହିବ।

Leave A Reply

Your email address will not be published.