ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ନୂଆପଡ଼ାରେ ରଚିଲେ ଲାଲ ତାଣ୍ଡବ । ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ବାଟର । ଗତକାଲି ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ମାଓବାଦୀମାନେ ଭିଆଇଛନ୍ତି ଏଭଳି ବର୍ବର କାଣ୍ଡ । ଏଥିସହ ଘଟଣା ସ୍ଥଳରେ ୮ଟି ପଲିଥିନରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି ମାଓବାଦୀ ।
ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧ଟାରେ ପାଖାପାଖି ୧୫ ରୁ ୨୦ ମାଓବାଦୀ ଆସି ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ବର୍ବର କାଣ୍ଡ ଘଟାଇଛନ୍ତି । ପ୍ରଥମେ ନାକାପଡ଼ାସ୍ଥିତ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ ମାଓବାଦୀ। ଏହାଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ।ଲେଖାଯାଇଥିବା ବ୍ୟାନରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ଜଳ, ଜମି, ଜଙ୍ଗଲ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ଵାନ କରିଛନ୍ତି ସଶସ୍ତ୍ର ମାଓବାଦୀ । ପୋଷ୍ଟର ତଳେ ମେନପୁର-ନୂଆପଡ଼ା ଡିଭିଜନ ବୋଲି ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ବେଳେ ଏବେ ଗାଁରେ ଭୟର ବାତାବରଣ ଖେଳି ଯାଇଛି ।
Comments are closed.