Latest Odisha News

BREAKING NEWS

କନ୍ଧମାଳରେ ମାଓବାଦୀ ପୋଷ୍ଟର, ଆନ୍ଦୋଳନରତ କୃଷକଙ୍କ ଦାବିକୁ ସମର୍ଥନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅନ୍ତର୍ଗତ ଆଦିବାସୀ ବହୁଳ କୁକୁରୁମା ଏବଂ ଖଦିର ଗ୍ରାମରେ ପୋଲିସ ଦ୍ୱାରା ମାଓବାଦୀ ପୋଷ୍ଟର ଜବତ ହୋଇଛି ।

ଜବତ ହୋଇଥିବା ଏହି ପୋଷ୍ଟରଟି ସିପିଆଇ (ମାଓବାଦୀ)ରାଜ୍ୟ କମିଟି ପକ୍ଷରୁ ଲଗା ହୋଇଥିବା ଉଲ୍ଲେଖ ରହିଛି ଏବଂ ଏହି ପୋଷ୍ଟରରେ ଚାଷୀଙ୍କ ଲାଗି ଆନ୍ଦୋଳନରତ ‘ନବନିର୍ମାଣ କୃଷକ ସଂଗଠନ’ର ଦାବିକୁ ସମର୍ଥ କରାଯାଇଥିବା ଉଲ୍ଲେଖ ରହିଛି ।

ମାଓବାଦୀମାନେ ମଧ୍ୟ ଆତ୍ମହତ୍ୟା କରିଥିବା କୃଷକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ଏହି ଅଞ୍ଚଳରୁ ୨ଟି ମାଓବାଦୀ ପୋଷ୍ଟର ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆନ୍ଦୋଳନରତ କୃଷକମାନଙ୍କର ଦାବି ହେଉଛି, ‘ପ୍ରାଇସ’, ‘ପ୍ରେଷ୍ଟିଜ’ ଏବଂ ‘ପେନସନ’ । କୃଷକ ସଂଗଠନ ମଧ୍ୟ ପୂର୍ବରୁ ଘୋଷଣା କରିଛି, ଯଦି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ରାଜ୍ୟବ୍ୟାପୀ ସମସ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ସମସ୍ତ ଥାନାକୁ କୃଷକମାନେ ଘେରାଓ କରିବେ ।

ଏହି ପୋଷ୍ଟରରେ ମଧ୍ୟ ସିପିଆଇ (ମାଓବାଦୀ) ରାଜ୍ୟ କମିଟି ବ୍ରାହ୍ମଣବାଦ ଏବଂ ବୃଦ୍ଧି ପାଉଥିବା ହିନ୍ଦୁତ୍ୱ ଆଦର୍ଶ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.