Latest Odisha News

BREAKING NEWS

ସରକାରୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ବିଧାୟକ ଓ ସାଂସଦ ଅନୁପସ୍ଥିତ ରହିବା ବଢ଼ାଇଲା ଚର୍ଚ୍ଚା

ବାରିପଦା : ବାରିପଦା ସହରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଆଦିରନ ମାରାଥନ’ରେ ହଜାର ହଜାର ଯୁବ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିଲା।

ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ବି. ଗଙ୍ଗାଧର ଓ ବିଜେଡିରୁ ଆସିଥିବା ରାଜନୈତିକ ନେତାମାନେ ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ବିଜେପି ନେତା, ବିଶେଷ କରି ବିଧାୟକ ଓ ସାଂସଦଙ୍କ ଅନୁପସ୍ଥିତି ସାଧାରଣ ଜନତା ଓ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପଟେ ଏହି ମାରାଥନରେ ଏସପି ଓ ଜିଲ୍ଲାପାଳ ପିନ୍ଧିଥିବା ଚି-ସାର୍ଟରେ ନବୀନଙ୍କ ଫଟୋ ଥିବା ଦେଖିବାକୁ ମିଳିଛି ଯାହା ସରକାରୀ ଆଇନର ଉଲ୍ଲଂଘନ କହି ବିଜେପି ଓ କଂଗ୍ରେସ ଘେରିଛି।

ଏପରି ସ୍ଥିତିରେ ଏସଡିସିର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଏକ ସରକାରୀ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ଉଭୟ ଜିଲ୍ଲା ଏବଂ ଜିଲ୍ଲା ବାହାରର ଯୁବକମାନଙ୍କ ପାଇଁ ଏକ ମଞ୍ଚ ପ୍ରଦାନ କରିବା ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖେଳ ଏବଂ ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବା।

ତେବେ କିଛି ଅନୁଷ୍ଠାନ ମାରାଥାନ ପ୍ରତିଯୋଗୀତାକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି ବୋଲି କହି ପରୋକ୍ଷରେ ବିଜେପିକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ଗତକାଲି ବିଜେଡି ନେତା ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରଦୀପ ମାଝୀ କହିଥିଲେ, ନବୀନ ସାମ୍ବିଧାନିକ ପଦବୀରେ ଅଛନ୍ତି। ପ୍ରଶାସନିକ ଅଧିକାରୀ ତାଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବାରେ ଆପତ୍ତି କେଉଁଠି। ଟି-ସାର୍ଟରେ ବିଜେଡିର ନିର୍ବାଚନ ଚିହ୍ନ ନାହିଁ କହି ବିରୋଧୀଙ୍କୁ ଜବାବ ଦେଇଥିଲେ।

ଜବାବରେ ବାରିପଦା ବିଧାୟକ ପ୍ରକାଶ ସୋରେନ କହିଛନ୍ତି, ତାଙ୍କୁ କିମ୍ବା ସଂସଦଙ୍କୁ ମାରାଥନ କାର୍ଯ୍ୟକ୍ରମ ପାଇଁ ଡକାଯାଇନଥିଲା । ନିକଟରେ ମଧ୍ୟ ଯେଉଁ ସବୁ ସରକାରୀ ବୈଠକ କିମ୍ୱା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ତାଙ୍କୁ ଡକାଯାଇନଥିଲା ।

ତେବେ ଏହି ମାରାଥନକୁ ରାଜନୈତିକ ବିଶ୍ଲେଷକମାନେ ଏକ ବିଜେଡି ପରିଚାଳିତ ଉଦ୍ୟମ ବୋଲି ବିବେଚନା କରୁଥିବା ବେଳେ ଜିଲ୍ଲା ପ୍ରଶାସନର ଦୃଢ଼ ସମର୍ଥନ ଏବଂ ମଞ୍ଚରେ ବିଜେଡି ରାଜନେତାଙ୍କ ଉପସ୍ଥିତି ଏହାକୁ ପ୍ରମାଣିତ କରିଛି। ନିର୍ବାଚନକୁ ମାସେ ବାକି ଅଛି, କିନ୍ତୁ ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ପାଇଁ ବିଜେଡି ତାର ଆଦିବାସୀ ଅପିଲକୁ ରଣକୌଶଳଗତ ଭାବେ ଉପଯୋଗ କରୁଛି, ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।

Leave A Reply

Your email address will not be published.