Latest Odisha News

BREAKING NEWS

Nobel Price Fierce War: ନୋବେଲ୍ ଗେମ୍, ଭୟଙ୍କର ଯୁଦ୍ଧ ସଙ୍କେତ?

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ଆଳରେ କ’ଣ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି? କାରଣ ଏହାର ସଙ୍କେତ ଦେଖାଯିବା ଆରମ୍ଭ ହୋଇସାରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ପାଇବାର ସ୍ୱପ୍ନ ଅଧୁରା ରହିଛି। ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି। ହେଲେ ପୁରସ୍କାର ପାଇବା କ୍ଷଣି ହିଁ ବିଜେତା ମାରିଆ ତାଙ୍କର ପଦକ ଟ୍ରମ୍ପଙ୍କୁ ଉତ୍ସର୍ଗ କରିଛନ୍ତି। ପୁରସ୍କାର ଜିତିବା ପରେ, ମାରିଆ ତାଙ୍କ ଏକ୍ସରେ ଲେଖିଛନ୍ତି, “ମୁଁ ଏହି ପୁରସ୍କାର ଭେନେଜୁଏଲାର ପୀଡିତ ଲୋକଙ୍କୁ ଏବଂ ଆମ ଉଦ୍ଦେଶ୍ୟ ପାଇଁ ତାଙ୍କ ବିଶେଷ ସମର୍ଥନ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ସର୍ଗ କରୁଛି!”

କ୍ଷମତା ପାଇଁ ସମର୍ଥନ ଖେଳ…

କୁହାଯାଉଛି ମାରିଆଙ୍କ ନୋବେଲ୍ ଉତ୍ସର୍ଗ ଏକ ସମର୍ଥନ ଗେମ୍ ପ୍ଲାନ୍ । ବାସ୍ତବରେ ସେ ଭେନେଜୁଏଲାରା ଶାସନ ଲୋଭରେ ଥିବା ବେଳେ ଏଥିପାଇଁ ଟ୍ରମ୍ପଙ୍କ ସହଯୋଗ ତାଙ୍କୁ ଆବଶ୍ୟକ । ଯାହାପରେ ମାରିଆ ମାଚାଡୋଙ୍କ ନୋବେଲ ପୁରସ୍କାର ବିଜୟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠାଯାଉଛି। ମାଚାଡୋ ଆମେରିକା ଏବଂ ଟ୍ରମ୍ପଙ୍କ ସମର୍ଥକ ରହିଆସିଛନ୍ତି। ମାଚାଡୋ ଖୋଲାଖୋଲି ଭାବରେ ଆମେରିକା ଏବଂ ଇସ୍ରାଏଲକୁ ସମର୍ଥନ କରିଛନ୍ତି। ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ, ମାଚାଡୋ ଅନେକ ନିର୍ବାଚନ ଏବଂ ଆଲୋଚନା ପ୍ରକ୍ରିୟା ବର୍ଜନ କରିଛନ୍ତି। ସେ ପ୍ରାୟତଃ କହିଛନ୍ତି ଯେ ବିଦେଶୀ ହସ୍ତକ୍ଷେପ ହେଉଛି ବର୍ତ୍ତମାନର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହଟାଇବାର ଏକମାତ୍ର ଉପାୟ। ଏହା ବ୍ୟତୀତ, ମାରିଆ ଭେନେଜୁଏଲାରେ କ୍ଷମତା ହାସଲ ପାଇଁ ଯୁଦ୍ଧକୁ ସମର୍ଥନ କରନ୍ତି। ମାରିଆ ଭେନେଜୁଏଲାରେ ଆକ୍ରମଣ ପାଇଁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ।

ନୋବେଲ୍ ଆଡରେ ଯୁଦ୍ଧ ଆଶଙ୍କା

ଆମେରିକାର ସେନା ଭେନେଜୁଏଲା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ। ଆମେରିକା ଚାହୁଁଛି ମାରିଆ ସିଂହାସନକୁ ଆରୋହଣ କରନ୍ତୁ । ଆଉ ଟ୍ରମ୍ପଙ୍କ ଦୀର୍ଘ ଦିନର ନୋବେଲ୍ ଆଶା ମଉଳିବା ପରେ ମାରିଆଙ୍କ ବୟାନ ତାଙ୍କୁ ଖୁସି କରାଇଛି । ତେଣୁ ଏବେ ମାରିଆଙ୍କ ସମର୍ଥନରେ ଭେନେଜୁଏଲା ଉପରେ ଆକ୍ରମଣ କରିପାରେ ଆମେରିକା । ଅନ୍ୟପଟେ ମାରିଆଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ ଥିବା ବେଳେ, ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ମିଳିଛି। ରୁଷ ଏବଂ ଭେନେଜୁଏଲା ଏକ ୧୦ ବର୍ଷର ରଣନୈତିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯେଉଁଥିରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଏବଂ ସୁରକ୍ଷା ଭଳି କ୍ଷେତ୍ରରେ ସହଯୋଗ ଅନ୍ତର୍ଭୁକ୍ତ। ଆମେରିକା ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବା ପରେ, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ରୁଷ ସହିତ ମିଶିଛନ୍ତି। ଆଉ ଗୋଟେପଟେ ଆମେରିକା ଇସ୍ରାଏଲ ମାରିଆଙ୍କ ପକ୍ଷରେ ଥିବା ବେଳେ, ଋଷ ଏବଂ ଇରାନ ଭେନେଜୁଏଲା ରାଷ୍ଟ୍ରପତିଙ୍କ ସହିତ ଅଛନ୍ତି। ଆଉ ଯଦି ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରେ, ତେବେ ମାଦୁରୋ ରୁଷ ଏବଂ ଇରାନର ସମର୍ଥନ ପାଇପାରନ୍ତି ଏବଂ ଏହା ଏକ ଭୟଙ୍କର ଯୁଦ୍ଧ ରୂପ ନେବାର ଆଶଙ୍କା ସୃଷ୍ଟି କରିଛି ।

Comments are closed.