Latest Odisha News

BREAKING NEWS

ଓଡ଼ିଶାରେ ବନ୍ଦ ହେଲା ସାମୁଦ୍ରିକ ମାଛ ଉତ୍ପାଦନ !

ପାରାଦୀପ :ଓଡ଼ିଶାରେ ସାମୁଦ୍ରିକ ମାଛ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ। ଏଭଳି ଘୋଷଣା କରିଛି ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ। ଦୀର୍ଘ ବର୍ଷ ହେଲା ବିଭିନ୍ନ ଦାବିକୁ ସରକାର ଅଣଦେଖା କରିଚାଲିଛନ୍ତି। ଯେଉଁଥି ପାଇଁ ସଙ୍ଘ ଏପରି ଚରମ ନିସ୍ପତି ନେଇଥିବା ବେଳେ ପ୍ରଭାବିତ ହେବେ ୧୫ ଲକ୍ଷ ମତ୍ସ୍ୟଜୀବୀ ପରିବାର।

ସାରା ଓଡିଶାରେ ସାମୁଦ୍ରିକ ମାଛ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ଠପ୍। ବୋଟ,ଗିଲିଟିନନ୍ କିମ୍ବା ଡଙ୍ଗା, କେହିବି ଯିବେ ନାହିଁ ସମୁଦ୍ର କୁ ମାଛ ମାରିବା ପାଇଁ। ଏଭଳି ଚରମ ନିଷ୍ପତି ନେଇଛି ଓଡିଶାର ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମତ୍ସ୍ୟଜୀବୀ ମାନେ ଏବେ ଆର୍ଥିକ ଦୁର୍ଦ୍ଦଶା ରେ ଗତି କରୁଛନ୍ତି। ଫନି ଓ ଅମ୍ଫାନ ଭଳି ବାତ୍ୟା ସହିତ କରୋନା ଭାଇରସ୍ ଯୋଗୁଁ ମତ୍ସ୍ୟଶିଳ୍ପ ଏବେ ଦୁର୍ଦିନରେ। ମାତ୍ର ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି।ଏଣୁ ମହାସଙ୍ଘ ପକ୍ଷରୁ ୪ ଦଫା ଦାବୀ ଉପସ୍ଥାପନ କରାଯାଇଛି। ଅନ୍ୟ ରାଜ୍ୟ ଭଳି ଓଡିଶାର ମତ୍ସ୍ୟଜୀବୀ ମାନଙ୍କୁ ଡିଜେଲ ରେ ସବସିଡ୍, ପ୍ରତ୍ୟେକ ମାଛଧରା ବେସ୍ ରେ ସ୍ବତନ୍ତ୍ର ଡାକ୍ତରୀ ଦଳ, ସବସିଡ୍ ବା ବିନା ସୁଧରେ ଋଣ, ଓ ଦିଘା ନିକଟରେ ଓଡିଶାର ମାଛ ବିକ୍ରୟ ପାଇଁ ଏକ ସ୍ବତନ୍ତ୍ର ମାଛ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି।

ଯେ ପର୍ଯ୍ୟନ୍ତ ଏହି ଦାବିକୁ ସରକାର ମାନି ନାହାନ୍ତି, ସେ ପର୍ଯ୍ୟନ୍ତ ସାରା ଓଡିଶାର ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଯିବେ ନାହିଁ ବୋଲି ମହାସଙ୍ଘ ଘୋଷଣା କରିଛି।କଇଁଛ କଟକଣା ଓ ମାଛ ଅଣ୍ଡାଦାନ ସମୟ ଯୋଗୁଁ ବର୍ଷକୁ ୮ ମାସ ମାଛ ଧରିବା ବନ୍ଦ ରହୁଥିବା ବେଳେ ମାତ୍ର ୪ ମାସ ସମୁଦ୍ରରେ ମାଛ ମାରିଥାଆନ୍ତି ମତ୍ସ୍ୟଜୀବୀ। ଏହି ୪ ମାସରେ ପାରାଦ୍ବୀପ ରେ ଦୈନିକ ୪୦ ଟନ୍ ରୁ ଊର୍ଦ୍ଧ୍ବ ମାଛ ଉତ୍ପାଦନ ହେଉଥିଲା ବେଳେ ସାରା ରାଜ୍ୟରେ ଦୈନିକ ପାଖାପାଖି ୪୦୦ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ହୋଇଥାଏ।

ଏବଂ ଏହି ୪ ମାସର ବ୍ୟବସାୟ ବର୍ଷକର ଆହାର ଯୋଗାଇଥାଏ ପାଖାପାଖି ୧୫ ଲକ୍ଷ ପରିବାରକୁ। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଏହି ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ସରକାର ଜୁନ ୧୫ ତାରିଖ ବଦଳରେ ଜୁନ୍ ୧ ତାରିଖରୁ ମାଛ ଧରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାଛ ଧରିବାକୁ ଯାଇନାହାନ୍ତି ମତ୍ସ୍ୟଜୀବୀ। ଆଜି ପାରାଦ୍ୱୀପ ନେହେରୁବଙ୍ଗଳା ମାଛଧରା ଜେଟ୍ଟିରେ ଓଡିଶାର ବିଭିନ୍ନ ଅଞ୍ଚଳ ରୁ ବିଭିନ୍ନ ମତ୍ସ୍ୟ ଉତ୍ପାଦନ ସଙ୍ଘ ର କର୍ମକର୍ତ୍ତା ପହଞ୍ଚି ଏକ ବୈଠକ କରିବା ପରେ ଏଭଳି ଘୋଷଣା କରିଛି ମତ୍ସ୍ଯ ଉତ୍ପାଦକ ମହାସଂଘ।

ଓଡିଶାରେ ଦେଖାଦେବ ସାମୁଦ୍ରିକ ମାଛ ର ଅଭାବ। କଇଁଛ କଟକଣା, ମାଛ ଅଣ୍ଡାଦାନ ସମୟ ଓ ପ୍ରାକୃତିକ ଦୁର୍ବିପାକ ସହିତ କରୋନା ମହାମାରୀ ରୁଗ୍ଣ କରିଦେଇଛି ଏହି ମତ୍ସ୍ୟ ଶିଳ୍ପକୁ। ଯାହାର ସିଧାସଳଖ ପ୍ରଭାବ ପଡିବ ସାଧାରଣ ଖାଉଟି ଙ୍କ ଉପରେ। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରିଛନ୍ତି ମତ୍ସ୍ୟଜୀବୀ।

Comments are closed.