ନୂଆଦିଲ୍ଲୀ: ପୂର୍ବରୁ କାନାଡା ସହ ଭାରତର ଶୀତଳ ସଂପର୍କ ଭିତରେ କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି-୭ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଯାହାକୁ ନେଇ କାନାଡିୟ ବିରୋଧୀ ଦଳ ଏବେ ପ୍ରଧାନମନ୍ତ୍ରୀ କାର୍ନିଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । କାନାଡିର ଏନଡିପି ଦଳ ମୋଦିଙ୍କୁ ନିମନ୍ତ୍ରଣ କରିବା ପାଇଁ କାର୍ନିଙ୍କୁ ସମାଲୋଚନା କରିଛି । ଏହି ନିଷ୍ପତ୍ତି ବହୁତ ବିଚଳିତକାରୀ ବୋଲି କହିଛି ଦଳ । ତଥାପି, କାନାଡିୟ ପ୍ରଧାନମନ୍ତ୍ରୀ କାର୍ନି ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । କାହିଁକି ଭାରତକୁ ନିମନ୍ତ୍ରଣ ମିଳିବା ଉଚିତ୍ ସେନେଇ ସ୍ପଷ୍ଟ କରିଛନ୍ତି । ଭାରତକୁ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଯୋଗାଣ ଶୃଙ୍ଖଳର କେନ୍ଦ୍ର ଭାବରେ ବର୍ଣ୍ଣନା କରି, କାନାଡିୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି ଯେ ଭାରତୀୟ ନେତୃତ୍ୱ ଆଗାମୀ ଜି-୭ ସମ୍ମିଳନୀରେ ଆଲୋଚନାର ଏକ ଅଂଶ ହେବା ଉଚିତ।
ଯେତେବେଳେ କାର୍ନିଙ୍କୁ ପଚରାଗଲା ଯେ ନିଜ୍ଜର ହତ୍ୟା ମାମଲାରେ ଭାରତୀୟ ଲିଙ୍କ୍ ଅଭିଯୋଗ ପରେ ମଧ୍ୟ ଜି-୭ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ନିମନ୍ତ୍ରଣ କରାଗଲା? ଯାହାର ଉତ୍ତର ଦେଇ ସେ କହିଥିଲେ, କିଛି ଦେଶ ଅଛନ୍ତି ଯେଉଁମାନେ ଏହି ଆଲୋଚନାରେ ସାମିଲ ହେବା ଉଚିତ। ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି, ପ୍ରଭାବଶାଳୀ ଭାବରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଏହା ଅନେକ ଯୋଗାଣ ଶୃଙ୍ଖଳର କେନ୍ଦ୍ରରେ ଅଛି । ଏହି ଯୋଗାଣ ଶୃଙ୍ଖଳ ମଧ୍ୟରୁ ଅନେକର ମୂଳରେ ଅଛି, ତେଣୁ ସେମାନଙ୍କୁ ନିମନ୍ତ୍ରଣ କରିବା ଯୁକ୍ତିଯୁକ୍ତ । ଏଥିସହିତ କାର୍ନି ଏହାବି କହିଛନ୍ତି ଯେ ଭାରତ ଏବଂ କାନାଡା ଆଇନ ପ୍ରବର୍ତ୍ତନ ଆଲୋଚନା ଜାରି ରଖିବାକୁ ରାଜି ହୋଇଛନ୍ତି। ସେ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦ୍ୱିପାକ୍ଷିକ ଭାବରେ, ଆମେ ଏବେ ଆଇନ ପ୍ରବର୍ତ୍ତନ ଆଲୋଚନା ଜାରି ରଖିବାକୁ ରାଜି ହୋଇଛୁ। ଏଥିରେ କିଛି ଅଗ୍ରଗତି ହୋଇଛି, ଉତ୍ତରଦାୟିତ୍ୱ ପ୍ରସଙ୍ଗକୁ ସ୍ୱୀକାର କରାଯାଇଛି ।
୨୦୨୩ ମସିହାରେ ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ବିଷୟରେ ପଚରାଯାଇଥିବା ପ୍ରଶ୍ନର ମଧ୍ୟ ଉତ୍ତର ରଖି କାର୍ନି କହିଛନ୍ତି, ଏହି ମାମଲାରେ ଆଇନଗତ ପ୍ରକ୍ରିୟା ଚାଲିଛି, ତେଣୁ ଏହା ଉପରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ଉପଯୁକ୍ତ ନୁହେଁ। ସେ କହିଛନ୍ତି ଯେ ଶକ୍ତି ସୁରକ୍ଷା, ଡିଜିଟାଲ୍ ଭବିଷ୍ୟତ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଉଦୀୟମାନ ଏବଂ ବିକାଶଶୀଳ ଦେଶଗୁଡ଼ିକରେ ଭିତ୍ତିଭୂମି ନିର୍ମାଣରେ ସହଭାଗୀତା ସମେତ ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଜି-୭ ସମ୍ମିଳନୀରେ ଆଲୋଚନା କରାଯିବ । ଜି-୭ ର ଅନ୍ୟ ସଦସ୍ୟ ଦେଶମାନଙ୍କ ସହିତ କଥା ହେବା ପରେ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ।
ତେବେ ୨୦୨୩ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିଜ୍ଜର ହତ୍ୟାକାଣ୍ଡରେ ସମ୍ଭାବ୍ୟ ଭାରତୀୟ ସମ୍ପର୍କ ଥିବା ଅଭିଯୋଗ କରିବା ପରେ ଭାରତ-କାନାଡା ସମ୍ପର୍କ ଗୁରୁତର ଭାବରେ ଖରାପ ହୋଇଯାଇଥିଲା । ହେଲେ ଏ ସବୁକୁ ଏଡାଇ କାନାଡାରେ ଆଗାମୀ ଜି-୭ ସମ୍ମିଳନୀରେ ଭାରତକୁ ନିମନ୍ତ୍ରଣ ଦେଇଛନ୍ତି ନୂଆ ପ୍ରଧାନମନ୍ତ୍ରୀ କାର୍ନି । ଯାହା ଆସନ୍ତା ଜୁନ୍ ୧୫ ରୁ ୧୭ ପର୍ଯ୍ୟନ୍ତ ଆଲବର୍ଟା ପ୍ରଦେଶର କାନାନାସ୍କିସ୍ ଅଞ୍ଚଳରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ କାନାଡା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଜି-୭ ର ୫୦ ତମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ଶାନ୍ତି, ସୁରକ୍ଷା, ଆର୍ଥିକ ସ୍ଥିରତା ଏବଂ ଡିଜିଟାଲ୍ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଆଲୋଚନା ଏବଂ ସହଯୋଗ କରିବା । ଆମେରିକା, ଫ୍ରାନ୍ସ, ଜର୍ମାନୀ, ଜାପାନ, ୟୁନାଇଟେଡ୍ କିଙ୍ଗଡମ୍, ଇଟାଲୀ, କାନାଡା ଏବଂ ୟୁରୋପୀୟ ସଂଘ ଏଥିରେ ଅଂଶଗ୍ରହଣ କରୁଛନ୍ତି ।
ଆଉ ଗତ୬ ବର୍ଷ ଧରି ଭାରତ ନିରନ୍ତର ଜି-୭ ରେ ଅଂଶଗ୍ରହଣ କରିଆସୁଛି। ଏବେ ଭାରତ ୭ମ ଥର ପାଇଁ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବ। ଯଦିଓ ଭାରତ ଗି-୭ ର ସଦସ୍ୟ ନୁହେଁ, କିନ୍ତୁ ଏହା ଏକ ନିମନ୍ତ୍ରିତ ସଦସ୍ୟ ଭାବରେ ଏଥିରେ ଅଂଶଗ୍ରହଣ କରିଆସୁଛି । ଆଉ ଏଥର ଜି-୭ରେ ଭାରତର ଯୋଗ ଦେବା ସନ୍ଦେହରେ ରହିଥିବା ବେଳେ କାନାଡାର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଏହି ପଦକ୍ଷେପ ଭାରତ ଏବଂ କାନାଡା ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସମ୍ପର୍କରେ ଉନ୍ନତିର ଆଶା ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ କାର୍ଯ୍ୟକାଳ ସମୟରେ ନୂଆଦିଲ୍ଲୀ ଏବଂ ଓଟାୱା ମଧ୍ୟରେ ସମ୍ପର୍କ ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ତତ୍କାଳୀନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତ ଉପରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରିବାର ମିଥ୍ୟା ଅଭିଯୋଗ କରିଥିଲେ, ଯାହାକୁ ଭାରତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା। ଏହା ପରେ, ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଭାରତ ଏବଂ କାନାଡା ପରସ୍ପରର କୂଟନୀତିଜ୍ଞଙ୍କୁ ନିଜ ନିଜ ଦେଶରୁ ବହିଷ୍କାର କରିଥିଲେ। ଏହା ସହିତ, ପରସ୍ପରର ଦେଶ ସହିତ ଅନେକ ପ୍ରକାରର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା। କିନ୍ତୁ ଏବେ କାର୍ନିଙ୍କ ପଦକ୍ଷେପ ସହିତ, ଭାରତ-କାନାଡା ସମ୍ପର୍କରେ ପୁଣି ନୂଆ ଆଶା ସୃଷ୍ଟି ହୋଇଛି ।
Comments are closed.