Man Married 4 Times: ଲୁଚେଇ ଛପେଇ ୪ ବିବାହ! ଗର୍ଭବତୀ ହେବା ପରେ ଚତୁର୍ଥ ପତ୍ନୀଙ୍କୁ ମିଳିଲା ସତ! ତଥାପି ବଦଳିଲାନି ପ୍ରକୃତି…ବନ୍ଧା ହେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ଜଣେ ନୁହେଁ, ଦୁଇ ଜଣ ନୁହେଁ, ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ଲୁଚାଇ ଲୁଚାଇ କରିଥିଲେ ୪ଟି ବିବାହ । ବିବାହର ପ୍ରାୟ ୪ ବର୍ଷ ପରେ ଗର୍ଭବତୀ ହେବା ସମୟରେ ଚତୁର୍ଥ ପତ୍ନୀ ଜାଣିବାକୁ ପାଇଥିଲେ ସ୍ୱାମୀଙ୍କ ଏହି ରହସ୍ୟ। ଏପଟେ ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ତୃତୀୟ ପତ୍ନୀ ନିର୍ଯାତନା ସହି ନପାରି ଘର ଛାଡ଼ିଥିବା ଅଭିଯୋଗ ହୋଇଛି। ତଥାପି ଥମିନଥିଲା ବିବାଦ। ଆଉ ଜଣେ ମହିଳାଙ୍କ ସହ ସମ୍ପର୍କକୁ ନେଇ ପରିବାରରେ ବଢ଼ିଥିଲା ଅଶାନ୍ତି। ଏବେ ଚତୁର୍ଥ ପତ୍ନୀ ଓ ନାବାଳିକା ଝିଅଙ୍କୁ ନିର୍ଯାତନା, ଝିଅକୁ କୋଠରୀରେ ବନ୍ଦ କରି ରଖିବା ଏବଂ ପତ୍ନୀଙ୍କ ସହ ଜୋରଜବରଦସ୍ତ ଅସଦାଚରଣ କରିବା ଭଳି ସଙ୍ଗିନ ଅଭିଯୋଗରେ ଗିରଫ ହୋଇଛନ୍ତି ୫୫ ବର୍ଷୀୟ ଅଭିଯୁକ୍ତ। ମହିଳା ଥାନା ପୋଲିସ ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ତାଙ୍କୁ ଧରିଛି।
ପୋଲିସର ତଦନ୍ତ ଅନୁଯାୟୀ, ଅଭିଯୋଗକାରିଣୀ ହେଉଛନ୍ତି ଅଭିଯୁକ୍ତଙ୍କ ଚତୁର୍ଥ ପତ୍ନୀ। ବିବାହର ପ୍ରାୟ ୪ ବର୍ଷ ପରେ ଗର୍ଭବତୀ ହେବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ସେ ଅଭିଯୁକ୍ତଙ୍କ ଚତୁର୍ଥ ପତ୍ନୀ। ପୂର୍ବରୁ ତାଙ୍କର ଅନ୍ୟ ପତ୍ନୀ ଥିବା କଥା ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି। ଏହାପରେ ବି ଅଭିଯୁକ୍ତ ରଞ୍ଜିତା ନାମକ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ତାଙ୍କୁ ନିଜ ପାଖରେ ରଖିବାରୁ ପରିବାରରେ ଅଶାନ୍ତି ବଢ଼ିଥିଲା। ଅଭିଯୁକ୍ତଙ୍କ ବହୁବିବାହ ଓ ନିର୍ଯାତନାରେ ଅତିଷ୍ଠ ହୋଇ ଚତୁର୍ଥ ପତ୍ନୀ ତାଙ୍କଠାରୁ ଅଲଗା ରହୁଥିଲେ।
ଅଭିଯୋଗ ଅନୁଯାୟୀ, ୩୦ ସେପ୍ଟେମ୍ବର ୨୦୨୬ରେ ଅଭିଯୁକ୍ତ ହଠାତ୍ ପତ୍ନୀଙ୍କ ଘରେ ପହଞ୍ଚି ଝିଅର ଜନ୍ମଦିନ ପାଳନ କରିବାକୁ ଜିଦ୍ ଧରିଥିଲେ। ପତ୍ନୀ ବିରୋଧ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ମା’ଙ୍କୁ ଗାଳି ଦିଆଯାଉଥିବା ଦେଖି ନାବାଳିକା ଝିଅ ପ୍ରତିବାଦ କରିବାରୁ ଅଭିଯୁକ୍ତ ତାକୁ ମାଡ଼ ମାରି ଏକ କୋଠରୀ ଭିତରେ ଜୋରଜବରଦସ୍ତ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଏହାପରେ ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ଅସଦାଚରଣ କରିବା ସହ ପୋଲିସରେ ଅଭିଯୋଗ କଲେ ମଧ୍ୟ କିଛି ହେବନାହିଁ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।
ପୀଡ଼ିତା ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ବୟାନ କୋର୍ଟରେ ରେକର୍ଡ କରାଯିବା ସହ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପରେ ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ପୋଲିସ ଅଭିଯୁକ୍ତଙ୍କୁ କାବୁ କରିଥିଲା। ତାଙ୍କୁ ଗିରଫ କରି ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ସହ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ତେବେ କିଏ ତାଙ୍କର ପ୍ରଥମ ପତ୍ନୀ? ଚାରିଟି ବିବାହକୁ ନେଇ ଲୁଚାଛପା, ପୂର୍ବ ପତ୍ନୀଙ୍କ ସହ ଜଡ଼ିତ ଘଟଣା ଏବଂ ଚତୁର୍ଥ ପତ୍ନୀ ଓ ଝିଅଙ୍କ ପ୍ରତି ନିର୍ଯାତନାର ଅଭିଯୋଗ, ଏହି ସବୁ ଦିଗକୁ ନେଇ ଏବେ ପୋଲିସର ତଦନ୍ତ ଚାଲିଛି।

