ନୂଆଦିଲ୍ଲୀ: ‘ହେଡକ୍ୱାଟର ଅନୁମୋଦନ ଦେଲା ପରେ ମୁଁ ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିଥିଲି, ଏବେ ବହିଷ୍କାର କାହିଁକି?’, ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରି ସିଆରପିଏଫ ଯବାନଙ୍କ ଚାକିରି ଯିବା ପ୍ରସଙ୍ଗରେ ଉପରେ ଏପରି କିଛି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ନିଜେ ବହିଷ୍କାର ହୋଇଥିବା ଯବାନ। ମୁଖ୍ୟାଳୟ ପକ୍ଷରୁ ଏଭଳି ନୋଟିସକୁ ଅନୁଚିତ୍ ବୋଲି କହି ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଛନ୍ତି।
ତେବେ ଶନିବାର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଯବାନ ମୁନିର ଅହମ୍ମଦଙ୍କୁ ତାଙ୍କ ପୋଷ୍ଟ ରୁ ବହିଷ୍କାର କରାଯାଇଛି, ଯିଏ ଜଣେ ପାକିସ୍ତାନୀ ମହିଳାଙ୍କ ସହ ବିବାହ କରିଛନ୍ତି। ଅଭିଯୋଗ ହୋଇଛି, ଯବାନ ଜଣଙ୍କ ତାଙ୍କ ବିବାହ ଲୁଚାଇବା କାରଣରୁ, ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। କିନ୍ତୁ ଏଭଳି ଅଭିଯୋଗକୁ ସଫା ସଫା ଖଣ୍ଡନ କରିଛନ୍ତି ଯବାନ ଏବଂ ବିବାହ କରିବା ପୂର୍ବରୁ ସେ ସିଆରପିଏଫ ମୁଖ୍ୟାଳୟରୁ ପୂର୍ବ ଅନୁମୋଦନ ପାଇଥିଲେ ବୋଲି ଦାବି କରିଛନ୍ତି।
ଏନେଇ ଯବାନ କହିଛନ୍ତି, ମୁଁ ପ୍ରଥମେ ଗଣମାଧ୍ୟମ ମାଧ୍ୟମରେ ମୋର ବହିଷ୍କାର ବିଷୟରେ ଜାଣିବାକୁ ପାଇଲି। ଏହାପରେ ପରେ ସିଆରପିଏଫ କାର୍ଯ୍ୟାଳୟରୁ ଏକ ଚିଠି ପାଇଲି ଯେଉଁଥିରେ ମୋତେ ବହିଷ୍କାର ବିଷୟରେ ସୂଚନା ଦିଆଯାଇଥିଲା। ଯାହା ମୋ ପାଇଁ ଏବଂ ମୋ ପରିବାର ପାଇଁ ଏକ ଶକ୍ତ ଝଟକା ଥିଲା। କାରଣ ମୁଁ ମୁଖ୍ୟାଳୟରୁ ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ମୋର ବିବାହ ପାଇଁ ଅନୁମତି ମାଗିଥିଲି ଏବଂ ମୁଖ୍ୟାଳୟ ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲା, ତା ପରେ ଯାଇଁ ବିବାହ ହୋଇଥିଲା ବୋଲି ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ଏଥିସହିତ ସେ ବର୍ତ୍ତମାନ କୋର୍ଟରେ ବହିଷ୍କାରକୁ ଚ୍ୟାଲେଞ୍ଜ କରିବାକୁ ଯୋଜନା କରୁଛନ୍ତି ବୋଲି ମାତା ରଖିଛନ୍ତି।
ତେବେ କହିରଖୁଛୁ, ଜମ୍ମୁର ଘରୋଟା ଅଞ୍ଚଳର ଜଣେ ବାସିନ୍ଦା ଅହମ୍ମଦ, ଏପ୍ରିଲ ୨୦୧୭ରେ ସିଆରପିଏଫରେ ଯୋଗ ଦେଇଥିଲେ। ଅନଲାଇନରେ ସମ୍ପର୍କ ଗଢିବା ପରେ ମେ ୨୦୨୪ରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିନାଲ ଖାନଙ୍କୁ ବିବାହ କରିଥିଲେ ଯବାନ। ୨୪ ମେ, ୨୦୨୪ ରେ ଭିଡିଓ କଲ୍ ନିକାହ ସମାରୋହ ମାଧ୍ୟମରେ ଦୁଇଜଣଙ୍କ ବିବାହ ହୋଇଥିଲା। ଅହମ୍ମଦଙ୍କ ଅନୁଯାୟୀ, ସିଆରପିଏଫ ମୁଖ୍ୟାଳୟରୁ ଆନୁଷ୍ଠାନିକ ଅନୁମତି ପାଇବାର ପ୍ରାୟ ଏକ ମାସ ପରେ ଏହି ବିବାହ ହୋଇଥିଲା।
କିନ୍ତୁ ସେପଟେ ସିଆରପିଏଫ ଦାବି କରୁଛି, ଅହମ୍ମଦ ଜଣେ ପାକିସ୍ତାନୀ ମହିଳାଙ୍କ ସହ ତାଙ୍କ ବିବାହ ପ୍ରସଙ୍ଗ ଲୁଚାଇଥିଲେ ଏବଂ ତାଙ୍କ ଭିସା ମିଆଦ ଶେଷ ହେବା ପରେ ତାଙ୍କୁ ଭାରତରେ ଅଧିକ ସମୟ ରହିବାକୁ ମଧ୍ୟ ସହଯୋଗ କରିଥିଲେ, ଯାହା ସେବା ଆଚରଣ ନିୟମର ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଥିଲା। ଯାହା ଦେଶ ବିରୁଦ୍ଧ ବୋଲି ଦର୍ଶାଯାଇଥିଲା। ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପାକିସ୍ତାନ ପ୍ରତି କୂଟନୈତିକ ପ୍ରତିକ୍ରିୟା ମଧ୍ୟରେ, ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଏବେ ଯବାନଙ୍କ ପ୍ରତିକ୍ରିୟା ଏହି ଘଟଣା ଉପରେ ଆହୁରି ଉତ୍କଣ୍ଠା ବଢ଼ାଇଛି।
Comments are closed.