Latest Odisha News

ଗୁପ୍ତ କ୍ଷେତ୍ରରେ ସଖି ବଟ

କେନ୍ଦ୍ରାପଡା: କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ବିଲ ବଳରାମପୁରରେ ରହିଛି ଗୁପ୍ତ କ୍ଷେତ୍ର ସଖିବଟ । ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହେଉଛି ଏହି ସ୍ଥାନ ।ବରଗଛରେ ପୁର୍ଣ୍ଣ ଏହି ସ୍ଥାନରେ ଥିବା ମନ୍ଦିରରେ ପୂଜା ପାଉଛନ୍ତି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ।

କିମ୍ବଦନ୍ତୀ ଅନୁସାରେ ୧୬୫୮ ମସିହାରେ ମୋଗଲ ଶାସନ କାଳରେ ବଳଦେବଜୀଉ ମନ୍ଦିର ଉପରେ ବିପଦ ଥିବାରୁ ସେବାୟତ ମାନେ ବଲଦେବଜୀଉଙ୍କୁ ଏହି ସ୍ଥାନରେ ଲୁଚାଇ ରଖିଥିଲେ । ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଏଠାରେ ଗୁପ୍ତ ଭାରେ ରଖାଯାଇଥିବାରୁ ଏହି ସ୍ଥାନର ନାମ ଗୁପ୍ତ କ୍ଷେତ୍ର ବୋଲି କୁହାଯାଏ ।ସେହିପରି ସଖିବଟ ନାମ କରଣ ପଛରେ ମଧ୍ୟ ରହିଛି ଅନ୍ୟ ଏକ ଲୋକ କଥା । ତେବେ ପ୍ରଭୁ ଶ୍ରୀବଳଦେବଜୀଉ ଏହି ସ୍ଥାନରେ ପୂର୍ବରୁ ଗଛ ମୂଳେ ପୂଜା ପାଉଥିବା ବେଳେ ବର୍ତ୍ତମାନ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି । ଏଠାରେ ଯଥା ରୀତିନୀତି ମଧ୍ୟରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ବିଭିନ୍ନ ପୂଜା ପର୍ବରେ ବିଶେଷ ରୀତିନୀତି ଅନୁଯାୟୀ ଶ୍ରୀଜୀଉଙ୍କ ପୂଜା ଓ ବିଭିନ୍ନ ବେଶ କରାଯାଇଥାଏ ।

ଏହି ମନ୍ଦିର ନିକଟରେ ଅନ୍ୟ ଦୁଇଟି ମନ୍ଦିର ନିର୍ମାଣ କରାଯାଇଛି । ସେଥିମଧ୍ୟରୁ ଗୋଟିଏ ମନ୍ଦିରରେ ବଡ଼ଭାଇ ବଳଭଦ୍ରଙ୍କ ସହ ପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ପୂଜା ପାଉଥିବା ବେଳେ ଅନ୍ୟ ମନ୍ଦିରରେ ରାଧା କୃଷ୍ଣ ପୂଜା ପାଉଛନ୍ତି ।

ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଏହି ପର୍ଯ୍ୟଟନ ସ୍ଥଳୀ ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବିଭିନ୍ନ ସମସ୍ୟା ଯୋଗୁ ପର୍ଯ୍ୟଟକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବଂଚିତ ହେଉଛି ଗୁପ୍ତ କ୍ଷେତ୍ର ସଖିବଟ ।

ଏହି କ୍ଷେତ୍ରର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଗଲେ ଏହି ସ୍ଥାନ ଲୋକଙ୍କୁ ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ ।

Comments are closed.