ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ବକ୍ସର ଏମସି ମେରୀ କମ୍ ବର୍ତ୍ତମାନ ତାଙ୍କ ପୂର୍ବତନ ସ୍ଵାମୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ “ମ୍ୟାଗ୍ନିଫିସେଣ୍ଟ ମ୍ୟାରୀ” ଭାବରେ ସାରା ବିଶ୍ୱରେ ପରିଚିତ ମେରୀ କମ୍ଙ୍କ କ୍ୟାରିଅରକୁ ମଜବୁତ କରିବାରେ ଅନଲର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନିକଟରେ ମେରୀ ତାଙ୍କ ସ୍ୱାମୀ ଅନଲରଙ୍କ ବିରୁଦ୍ଧରେ ଠକେଇର ଅଭିଯୋଗ କରିଛନ୍ତି।
ଯାହା ପରେ ଅନଲର କହିଛନ୍ତି ଯେ ମେରୀ କମ୍ଙ୍କର ଜଣେ ଜୁନିଅର ବକ୍ସରଙ୍କ ସହ ସମ୍ପର୍କ ଥିଲା। ସେମାନଙ୍କର ସୋସିଆଲ ମିଡ଼ିଆରେ ଥିବା ବ୍ୟକ୍ତିଗତ କଥାବାର୍ତ୍ତାକୁ ସେ ପ୍ରମାଣ ଭାବରେ ଉପସ୍ଥାପନ କରିପାରିବେ।
ମେରୀଙ୍କର ୨୦୧୩ରେ ଜଣେ ଜୁନିଅର ବକ୍ସରଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା ଓ ଏଥିପାଇଁ ପରିବାର ମଧ୍ୟରେ ଝଗଡ଼ା ହୋଇଥିବା ସେ କହିଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ପୁନଃ ବୁଝାମଣା କରି ରହିଥିଲେ। କିନ୍ତୁ ୨୦୧୭ ମସିହାରୁ ମେରୀ କମ୍ ବକ୍ସିଂ ଏକାଡେମୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଅଛନ୍ତି ଓ ପ୍ରମାଣ ଭାବରେ ସେମାନଙ୍କର ହ୍ୱାଟ୍ସଆପ୍ ମେସେଜ୍ ମୋ ପାଖରେ ଅଛି। ଏଥିସହିତ ମେରୀଙ୍କ ସହ ସମ୍ପର୍କ ଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ସେ ଜାଣିଥିବା ଅନଲର କହିଥିଲେ।
ନିକଟରେ ଏକ ସାକ୍ଷାତକାରରେ ମେରୀ ତାଙ୍କ ସ୍ଵାମୀଙ୍କ ଉପରେ ୫ କୋଟି ଟଙ୍କା ଠକେଇର ଅଭିଯୋଗ ଆଣିଥିଲେ ଓ ତାଙ୍କ କଷ୍ଟ ଅର୍ଜିତ ଟଙ୍କାରେ କିଣିଥିବା ଜମିକୁ ତାଙ୍କ ସ୍ଵାମୀ ହଡ଼ପ କରିନେଇଥିବା ସେ ଅଭିଯୋଗ କରିଥିଲେ। ଯାହାକୁ ଅନଲର ଅସ୍ୱୀକାର କରିଛନ୍ତି ଓ ତାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉ ବୋଲି ମଧ୍ୟ ଅନଲର୍ କହିଛନ୍ତି।