ନୂଆଦିଲ୍ଲୀ: ପାକିସ୍ତାନର ନିଜ ଆତଙ୍କବାଦୀମାନେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପୋଲ ଖୋଲିବାରେ ବ୍ୟସ୍ତ। ଏହି ପରିପ୍ରେକ୍ଷୀରେ ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସ୍ କାଶ୍ମୀରି ଆଉ ଏକ ବଡ଼ ଖୁଲାସା କରିଛନ୍ତି।
ସେ କହିଛନ୍ତି ଯେ ଦିଲ୍ଲୀର ସଂସଦ ଭବନ ଏବଂ ମୁମ୍ବାଇ ଆକ୍ରମଣ ପଛରେ ମାସୁଦ ଆଝାରର ହାତ ଥିଲା। ଏପରିକି ସେ ବାଲାକୋଟରୁ ଏହି ସବୁ ଯୋଜନା କରିଥିଲେ। ଏଥିରୁ ସ୍ପଷ୍ଟ ଯେ ପାକିସ୍ତାନରେ ଥିବା ଆତଙ୍କବାଦୀମାନେ ଭାରତରେ ଆକ୍ରମଣ ଯୋଜନା କରିଥିଲେ। ଯେତେବେଳେ କି ପାକିସ୍ତାନ ଦେଶରେ ମାସୁଦ ଆଝାରର ଉପସ୍ଥିତିକୁ ଦୃଢ଼ ଭାବରେ ଅସ୍ୱୀକାର କରିଥାଏ। ତେବେ ଜୈଶ କମାଣ୍ଡରଙ୍କ ଏହି ଖୁଲାସା ପାକିସ୍ତାନର ପର୍ଦ୍ଦାଫାଶ କରିଛି।
ଏକ ଭିଡିଓରେ ମାସୁଦ ଇଲିଆସ୍ କାଶ୍ମୀରି କହୁଥିବା ଶୁଣାଯାଉଛି, “ଦିଲ୍ଲୀର ତିହାର ଜେଲରୁ ଖସିଯିବା ପରେ ଆମିର ଉଲ୍ ମୁଜାହିଦ୍ଦିନ୍ ମୌଲାନା ମାସୁଦ ଆଝାର ପାକିସ୍ତାନ ଆସିଥିଲେ ଏବଂ ବାଲାକୋଟ ତାଙ୍କୁ ଆଶ୍ରୟ ଦେଇଥିଲେ। ସେଠାରୁ ସେ ତାଙ୍କର ମିଶନ୍ କାର୍ଯ୍ୟକାରୀ କରିଥିଲେ ଏବଂ ଦିଲ୍ଲୀ ଏବଂ ମୁମ୍ବାଇକୁ ଥରାଇ ଦେଇଥିଲେ। ଇଲିଆସ୍ କାଶ୍ମୀରି ଓସାମା ବିନ୍ ଲାଡେନ୍ଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ସେ ମଧ୍ୟ ପାକିସ୍ତାନୀ ମାଟିରୁ ଆତଙ୍କବାଦୀ ଆକ୍ରମଣ କରିଥିଲେ।
ମାସୁଦ ଇଲିଆସ କାଶ୍ମୀରୀ ଆହୁରି ମଧ୍ୟ କହିିଛନ୍ତି ଯେ କିପରି ଭାରତୀୟ ସଶସ୍ତ୍ର ବାହିନୀ ସିନ୍ଦୁର ଅପରେସନ ସମୟରେ ଜୈଶ-ଏ-ମହମ୍ମଦର ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରିଥିଲେ। ଭିଡିଓରେ ମାସୁଦ କହୁଛି ଯେ “ଆମ ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଆମେ ଦିଲ୍ଲୀ, କାବୁଲ ଏବଂ କାନ୍ଦାହାରରେ ଯୁଦ୍ଧ କରିଥିଲୁ। ସବୁକିଛି ବଳିଦାନ ଦେବା ପରେ ମୌଲାନା ମାସୁଦ ଆଝାରଙ୍କ ପରିବାରକୁ ମେ ୭ ତାରିଖରେ ଧ୍ୱଂସ କରାଯାଇଥିଲା। ଭାରତୀୟ ସୁରକ୍ଷା ବାହିନୀ ବାହାବଲପୁରରେ ସେମାନଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରିଥିଲେ।”
Comments are closed.