Latest Odisha News

BREAKING NEWS

Masood Azhar: ଏମିତି ଚାନ୍ଦା ଆଦାୟ କରିଥିଲା ଜୈଶ !

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଚୁପଚାପ ଆରମ୍ଭ କରିଥିଲା ଅର୍ଥ ସଂଗ୍ରହ ଅଭିଯାନ। 313 ଟି ନୂଆ ପ୍ରଶିକ୍ଷଣ ଶିବିର ବା ମରକଜ ଓ ସୁରକ୍ଷିତ ଠିକଣା ବନାଇବାକୁ 3ହଜାର 910 କୋଟି ଟଙ୍କା ସଂଗ୍ରହ କରିଥିଲା। ଅଭିଯାନ ଦ୍ବାରା ଜୈଶର ଆତଙ୍କୀ ଭିତ୍ତିଭୂମିକୁ ମଜବୁତ କରିବା ଓ ହତିଆର ଭଣ୍ଡାର ବଢାଇବାକୁ ଲକ୍ଷ୍ୟ ରହିଥିଲା। ମସୁଦ ଅଜହର ଓ ତା ଭାଇ ତହ୍ଲା ଅଲ୍ ସେଫ ଡିଜିଟାଲ ଓ୍ବାଲେଟସ ଓ ମସଜିଦରେ ଚାନ୍ଦା ଏକାଠି କରୁଥିଲେ। ତେବେ ଭାରତର ଅପରେସନ୍ ସିନ୍ଦୂରରେ ଜୈଶର ଏହି ଯୋଜନାକୁ ବଡ଼ ଝଟକା ଲାଗିଛି।

ଜୈଶର ଖତରନାକ୍ ପ୍ଲାନ୍

2000ମସିହାରେ ମସୁଦ ଅଜହର ପ୍ରତିଷ୍ଠା କରିଥିବା ଜୈଶ-ଏ-ମୋହମ୍ମଦ ଭାରତରେ ଅନେକ ଥର ଆକ୍ରମଣ କରିଛି। ଭାରତର ପାର୍ଲାମେଣ୍ଟ ଉପରେ ଆକ୍ରମଣ ହେଉ କି ପୁଲଓ୍ବାମା ହମଲା, ପଛରେ ରହିଛି ଜୈଶର ଆତଙ୍କୀ ଚେହେରା। ପୁଣି ନିଜ ଶକ୍ତି ବଢାଇବାକୁ ଗୁପ୍ତ ଅଭିଯାନ ଆରମ୍ଭ କରିଥିଲା ସଂଗଠନ। ପାକିସ୍ତାନରେ 313ଟି ନୂଆ ମରକଜ ବନାଇବାକୁ ଯୋଜନା ଥିଲା। ଏଠାରେ ଆତଙ୍କୀଙ୍କୁ ପ୍ରଶିକ୍ଷଣ ଦେବା ସହ ମସୁଦ ଅଜହର ଓ ତା ପରିବାର ପାଇଁ ସୁରକ୍ଷିତ ଠିକଣା ବନାଇବାକୁ ଯୋଜନା ଥିଲା। ଅଭିଯାନର ଲକ୍ଷ୍ୟ ଥିଲା 3ହଜାର 910କୋଟି ଟଙ୍କା ଯୋଗାଡ଼ କରିବା। ଏଥିରେ ଜୈଶର ଶିବିର ବନାଇବା ସହ ମେସିନ୍ ଗନ୍, ରକେଟ୍ ଲଞ୍ଚର ଓ ମୋର୍ଟାର ପରି ଉନ୍ନତମାନର ହତିଆର କିଣିବାକୁ ପ୍ଲାନ୍ ଥିଲା। ଏହି ଅର୍ଥକୁ ଆତଙ୍କବାଦୀ ଗତିବିଧି ବଢାଇବା ସହ ନୂଆ ଆକ୍ରମଣ ଯୋଜନା ବନାଇବାରେ ଖର୍ଚ୍ଚ କରାଯାଇଥାନ୍ତା।

ଡିଜିଟାଲ୍ ଓ୍ବାଲେଟ୍ ଜାଲ

ଫଣ୍ଡ ଯୋଗାଡ଼ କରିବାକୁ ଜୈଶ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର କରିଥିଲା। ବ୍ୟାଙ୍କଖାତାଠାରୁ ଅଲଗା କାମ କରୁଥିବା ଇଜି ପୈସା ଓ ସଦାପେ ପରି ପାକିସ୍ତାନୀ ଡିଜିଟାଲ ଓ୍ବାଲେଟର ବ୍ୟବହାର କରିଥିଲା ସଂଗଠନ। ଏସବୁ ଓ୍ବାଲେଟସ ଓ୍ବାଲେଟରୁ ଓ୍ବାଲେଟ ଓ ଓ୍ବାଲେଟରୁ କ୍ୟାସ ଲେଣଦେଣ ସୁବିଧା ଦିଏ। ଫଳରେ ଏଫଏଟିଏଫ୍ ପରି ଅନ୍ତର୍ଜାତୀୟ ସଂଗଠନ ଏନେଇ ଜାଣିବା କଷ୍ଟକର। ବିଶେଷଜ୍ଞଙ୍କ ମତରେ ଏସବୁ ଡିଜିଟାଲ ଓ୍ବାଲେଟ୍ ଡିଜିଟାଲ ହଓ୍ବାଲା ପରି କାମକରେ। ଏହାଦ୍ବାରା ବିନା ବ୍ୟାଙ୍କିଂ ନେଟଓ୍ବର୍କରେ ଅର୍ଥ ନେଣଦେଣ ହୋଇପାରିବ। ଡିଜିଟାଲ ଓ୍ବାଲେଟସରେ ମସୁଦ ଅଜହରର ପରିବାର ସଦସ୍ୟଙ୍କ ମୋବାଇଲ ନମ୍ବର ସହ ଯୋଡ଼ା ଯାଇଥିଲା। 3ରୁ 4ମାସ ମଧ୍ୟରେ ଓ୍ବାଲେଟସକୁ ବଦଳାଇ ଦିଆ ଯାଉଥିଲା। ଅଧିକ ଅର୍ଥ ଆସିଲେ ପ୍ରଥମେ ମୁଖ୍ୟ ଓ୍ବାଲେଟସରେ ଜମା କରାଯାଉଥିଲା ଓ ପରେ 10ରୁ 15ଟି ଛୋଟ ଓ୍ବାଲେଟସରେ ବାଣ୍ଟି କଢା ଯାଉଥିଲା। ଏଭଳି କରି ଏଫଏଟିଏଫ୍ ନଜରରୁ ରକ୍ଷା ପାଇବାକୁ ଯୋଜନା କରିଥିଲା ଜୈଶ।

ମସଜିଦରୁ ନଗଦ ଚାନ୍ଦା

ଡିଜିଟାଲ୍ ଓ୍ବାଲେଟସ ସହ ଜୈଶର କମାଣ୍ଡର ପ୍ରତି ଶୁକ୍ରବାର ପାକିସ୍ତାନର ମସଜିଦରୁ ନଗଦ ଚାନ୍ଦା ଆଦାୟ କରୁଥିଲେ। ଗାଜାରେ ସହାୟତା ନାଁରେ ଚାନ୍ଦା ଅଣା ଯାଉଥିଲେ ମଧ୍ୟ ଏହାର ବ୍ୟବହାର ଜୈଶର ଆତଙ୍କବାଦୀ ଗତିବିଧି ପାଇଁ କରାଯାଉଥିଲା। ଜୈଶ ସହ ଜଡ଼ିତ ଅଲ ରହମତ ସଂଗଠନର ଏହି ପୂରା ଅଭିଯାନରେ ବଡ଼ ଭୂମିକା ରହିଥିଲା। ଏହି ଟ୍ରଷ୍ଟ ବହାବଲପୁରରେ ନ୍ୟାସନାଲ ବ୍ୟାଙ୍କ ଅଫ୍ ପାକିସ୍ତାନର ଏକ ବ୍ୟାଙ୍କ ଖାତା ଜରିଆରେ ଚାନ୍ଦା ଆଦାୟ କରୁଥିଲା। ଟ୍ରଷ୍ଟକୁ ମସୁଦ ଅଜହର, ତହ୍ଲା ଅଲ ସୈଫ ଓ ଅନ୍ୟ ଜୈଶ ନେତା ଚଳାଉଥିଲେ।

ଆତଙ୍କୀ ଆକ୍ରମଣ ପାଇଁ ବଡ଼ ପ୍ରସ୍ତୁତି

3ହଜାର 910 କୋଟି ଟଙ୍କା ସଂଗ୍ରହର ଏହି ଅଭିଯାନ ଜୈଶର ଏକ ବଡ଼ ସଫଳତା। ପାକିସ୍ତାନ ଓ ବିଦେଶରୁ ଏଥିରେ ଚାନ୍ଦା ସଂଗ୍ରହ କରାଯାଇଥିଲା। ଅର୍ଥକୁ ଉନ୍ନତ ମାନର ହତିଆର କିଣିବା ଓ ଆତଙ୍କୀ ଭିତ୍ତିଭୂମି ମଜବୁତ କରିବାରେ ଖର୍ଚ୍ଚ କରାଯାଇଥିଲା। ଗୁପ୍ତ ଫଣ୍ଡରେଜିଂ ଓ ସୁରକ୍ଷିତ ଚ୍ୟାନେଲ ଯୋଜନା ଧରା ନପଡିବା ନେଇ ଆଶ୍ବସ୍ତ ଥିଲେ ଜୈଶର ନେତା। ଏସବୁ ମରକଜ ମାଧ୍ୟମରେ ଭାରତ ବିଶେଷ କରି ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣର ନୂଆ ଲହର ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲା ଜୈଶ। ତେବେ ମେ 7ତାରିଖରେ ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଓ ପିଓକେରେ ଥିବା ଜୈଶର ଠିକଣା ଉପରେ ମିସାଇଲ୍ ଆକ୍ରମଣ କରିଥିଲା ଭାରତ। ଏଥିରେ ମସୁଦ ଅଜହର ପରିବାରର 10ଜଣ ସଦସ୍ୟଙ୍କର ବି ମୃତ୍ୟୁ ହୋଇଥିଲା।

Comments are closed.