ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାରେ ଏକ କାର୍ଯ୍ୟକ୍ଷମ ONGC ତୈଳ କୂପରୁ ଏକ ବଡ଼ ଧରଣର ଗ୍ୟାସ ଲିକ୍ ହୋଇଛି। ଯାହା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଅସ୍ଥାୟୀ ଭାବରେ ଉତ୍ପାଦନ ବନ୍ଦ ହେବା ପରେ ଏକ ୱାର୍କଓଭର ରିଗ୍ ବ୍ୟବହାର କରି କୂପଟି ମରାମତି କରାଯାଉଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ଏହି କୂପଟି କୋନାସୀମାର ରାଜୋଲ ଅଞ୍ଚଳର ଇରୁସୁମାଣ୍ଡା ଗାଁରେ ଅବସ୍ଥିତ। ମରାମତି ସମୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା ଏବଂ ଅଶୋଧିତ ତୈଳ ସହିତ ବହୁ ପରିମାଣର ଗ୍ୟାସ ଲିକ୍ ହୋଇଥିଲା।
ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଲିକ୍ ହୋଇଥିବା ଗ୍ୟାସରେ ତୁରନ୍ତ ନିଆଁ ଲାଗିଯାଇଥିଲା। ଏପରିକି ସୁମାଣ୍ଡା ଏବଂ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ପରି ଗ୍ୟାସ୍ ଏବଂ ଧୂଆଁର ଏକ ବଳୟ ବ୍ୟାପିଯାଇଥିଲା। ଫଳରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଖାଲି କରିଦେଇଛନ୍ତି। ଅନେକ ଲୋକ ଘରୁ ପଳାଇବା ସହ ଗୋରୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଲୋକଙ୍କୁ ବିଦ୍ୟୁତ୍ ବ୍ୟବହାର ନ କରିବା, ବୈଦ୍ୟୁତିକ ଉପକରଣ ଏବଂ ଚୁଲି ନ ଜଳାଇବାକୁ ଅନୁରୋଧ କରାଯାଇଛି।
ସେପଟେ ଲିକ୍ ନିୟନ୍ତ୍ରଣ ଏବଂ ନିଆଁ ଲିଭାଇବା ପାଇଁ ONGC କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।