Latest Odisha News

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୫ ମୃତ, ୨୫ରୁ ଅଧିକ ଆହତ

ଚଣ୍ଡିଗଡ: ପଞ୍ଜାବର ଶ୍ରୀ ମୁକ୍ତସର ସାହିବ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଲାମ୍ବିର ପିଣ୍ଡ ସିଂଘେୱାଲାରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୫ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ବଠିଣ୍ଡାର ଏମ୍ସରେ ଭର୍ତ୍ତି କରାଯାଇଛି ।

ଗୁରୁବାର ବିଳମ୍ବିତ ରାତିରେ ସିଂଘେୱାଲା-ଫୁଟୁହିୱାଲା ଗାଁର କ୍ଷେତରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା । ମିଳିଥିବା ସୂଚନାରୁ ଜଣାପଡିଛି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଦୁଇଟି ମହଲା ଭୁଶୁଡ଼ି ପଡ଼ିଥିଲା । ଛାତର ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ପୋତି ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଦମକଳବାହିନୀ ପକ୍ଷରୁ ଉଦ୍ଧାର କାମ ମଧ୍ୟ ଜାରି ରହିଛି ।

ବାଣ କାରଖାନାରେ ପ୍ରାୟ ୪୦ ଜଣ ଶ୍ରମିକ କାମ କରୁଥିଲେ । କାରଖାନାଟି ହରିୟାଣା ସୀମାରେ ଥିବାରୁ ଅନେକ ଦାଦନ ଶ୍ରମିକ ଏଠାରେ କାମ କରୁଥିଲେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । କାରଖାନାରେ କାମ କରୁଥିବା ଅଧିକାଂଶ ଶ୍ରମିକ ୟୁପି ଏବଂ ବିହାରରୁ ଆସିଥିଲେ । ବିଳମ୍ବିତ ରାତିରେ ଅଧିକାଂଶ ଶ୍ରମିକ କାରଖାନା ବାହାରେ ଥିବା କ୍ଷେତରେ ଖୋଲା ଆକାଶ ତଳେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Comments are closed.