ସିଓଲ: ଦକ୍ଷିଣ କୋରିଆର ଡେଜେଓନ୍ ସହରରେ ଭୟଙ୍କର ବିସ୍ଫୋରଣ । ଏକ କାର୍ ପାର୍ଟସ୍ କାରଖାନାରେ ଶନିବାର ଅପରାହ୍ନରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ଦେଇଛି ଗୃହ ମନ୍ତ୍ରଣାଳୟ ।
ଅଗ୍ନିକାଣ୍ଡ ସମୟରେ ପ୍ଲାଣ୍ଟରେ ମୋଟ ୧୭୦ ଜଣ କର୍ମଚାରୀ କାମ କରୁଥିଲେ, ଯେଉଁମାନଙ୍କ ମଧ୍ୟରୁ କିଛି ମୃତଦେହ କୋଠାର ଦ୍ୱିତୀୟ ଓ ତୃତୀୟ ମହଲାରୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଏବେ ମଧ୍ୟ ଭଗ୍ନାବଶେଷ ମଧ୍ୟରେ ନିଖୋଜ ଥିବା ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିବା ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ।
କାରଖାନା ପରିସରରେ ପ୍ରାୟ ୨୦୦ କିଲୋଗ୍ରାମ ସୋଡିୟମ୍ ଗଚ୍ଛିତ ଥିବାରୁ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି । ଏହି ଦୁଃଖଦ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ଆଧୁନିକ ଉପକରଣ ଓ ଅତିରିକ୍ତ କର୍ମଚାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।