ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ‘ମହା’ଟୁଇଷ୍ଟ ! ଶରଦ ପାଓ୍ବାରଙ୍କ ଦଳରେ ବିଦ୍ରୋହ ! ଦଳର ୮ସାଂସଦ ଅଜିତ ପାଓ୍ବାରଙ୍କ ଏନସିପିରେ ହେବେ ସାମିଲ ! ସୁପ୍ରିୟାଙ୍କୁ ମନ୍ତ୍ରୀ ପଦ ପାଇଁ ପାଓ୍ବାରଙ୍କ ଲବି ! ମହାରାଷ୍ଟ୍ରରେ ବିରୋଧୀ ମହାବିକାଶ ଅଘାଡିକୁ ଲାଗିପାରେ ଜୋର କା ଝଟକା । ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପି ଛାଡି ଅଜିତ ପାଓ୍ବାରଙ୍କ ଏନସିପିରେ ସାମିଲ ହୋଇପାରନ୍ତି ୮ଜଣ ସାଂସଦ । ଶରଦଙ୍କ ଏନସିପି ସାଂସଦମାନେ ଅଜିତ ପାଓ୍ବାର ଗୋଷ୍ଠୀ ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । ଯେକୌଣସି ମୁହୁର୍ତ୍ତରେ ଏନେଇ ସେମାନେ ଘୋଷଣା କରିପାରନ୍ତି । ଅଜିତ ପାଓ୍ବାରଙ୍କ ଏନସିପିକୁ ଅସଲି ଏନସିପି ଭାବେ ଭାରତୀୟ ନିର୍ବାଚନ କମିଶନ ସ୍ବୀକୃତି ଦେବା ପରେ ଦଳବଦଳ ଶରଦ ପାଓ୍ବାରଙ୍କ ନେତୃତ୍ବକୁ ବଡ ଝଟକା ବୋଲି କୁହାଯାଉଛି ।
ସାଂସଦ ଛାଡିବେ ଦଳ !
ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ଅଜିତ ପାଓ୍ବାରଙ୍କ ଏନସିପିକୁ ଅସଲି ଏନସିପି ଭାବେ ସ୍ବୀକୃତି ମିଳିଛି । ଏଥିସହ ଦଳର ଚିହ୍ନ ଓ ନାଁ ମିଳିଛି । ଏହାପରେ ଶରଦ ପାଓ୍ବାରଙ୍କ ଦଳର ୮ଜଣ ସାଂସଦ ଅଜିତ ପାଓ୍ବାରଙ୍କ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗତ ଲୋକସଭା ନିର୍ବାଚନରେ ୧୦ଟି ଲୋକସଭା ସିଟରେ ଲଢିଥିବା ବେଳେ ୮ଟିରେ ବିଜୟୀ ହୋଇଥିଲା ଶରଦ ପାଓ୍ବାରଙ୍କ ଏନସିପି । ଲୋକସଭାରେ ଭଲ ପ୍ରଦର୍ଶନ କରିଥିବା ବେଳେ ଦଳ ବିଧାନସଭାରେ ସେଭଳି କମାଲ କରିପାରିନଥିଲା । ମାତ୍ର ୧୦ଟି ସିଟ୍ ଜିତିଥିଲା ଦଳ, ଯେବେକି ଅଜିତ ପାଓ୍ବାରଙ୍କ ଏନସିପି ୪୧ଟି ସିଟ୍ ଜିତିବା ସହ ଭଲ ସ୍କୋର କରିଥିଲେ ।
ମହାୟୁତିକୁ ଯିବେ ଶରଦ ପାଓ୍ବାର !
ନିଜେ ଶରଦ ପାଓ୍ବାର ମଧ୍ୟ ମହାୟୁତିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମହାରାଷ୍ଟ୍ର ରାଜନୀତିର ପୁରୁଣା ଖେଳାଳି ୮୪ବର୍ଷୀୟ ଶରଦ ପାଓ୍ବାର ନିଜ ରାଜନୈତିକ ଜୀବନର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିଲା ଶରଦ ପାଓ୍ବାରଙ୍କ ଏନସିପି । ଏହାପରେ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ଦଳ । ଏଭଳି ସ୍ଥିତିରେ ପୁତୁରା ଅଜିତ ପାଓ୍ବାରଙ୍କ ସହ ହାତ ମିଳାଇବେ କି ଶରଦ ପାଓ୍ବାର? ଶରଦ ପାଓ୍ବାରଙ୍କୁ ସମ୍ମାନ କରନ୍ତି । ସେ ମହାୟୁତିକୁ ଆସିଲେ ସ୍ବାଗତ କରିବେ ବୋଲି ଅଜିତ ପାଓ୍ବାରଙ୍କ ଏନସିପି ପକ୍ଷରୁ କୁହାଯାଇଛି । ସେପଟେ ଝିଅ ସୁପ୍ରିୟା ସୁଲେଙ୍କ ପାଇଁ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଁ ଶରଦ ପାଓ୍ବାର ଲବି କରୁଥିବା ବି ଚର୍ଚ୍ଚା ହେଉଛି।
ଫଡନାବିସଙ୍କୁ ସୁଲେଙ୍କ ପ୍ରଶଂସା
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ କିଛି ଦିନ ତଳେ ବାରାମତି ସାଂସଦ ତଥା ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ । ରାଜ୍ୟ ସରକାରରେ ଫଡନାବିସ ଏକମାତ୍ର ସକ୍ରିୟ ସଦସ୍ୟ ବୋଲି ଜାନୁଆରୀ ୩ତାରିଖରେ ପୁନେରେ କହିଥିଲେ ସୁପ୍ରିୟା ସୁଲେ । ମହାୟୁତି ସରକାରରେ ଅନେକ ମନ୍ତ୍ରୀ ଦାୟିତ୍ବ ନେଇନାହାନ୍ତି । ତେବେ ଫଡନାବିସ ଏକମାତ୍ର ବ୍ୟକ୍ତି ଭାବେ ମିଶନ ମୋଡରେ କଠିନ ପରିଶ୍ରମ କରୁଛନ୍ତି । ଅନ୍ୟ କେହି ଦୃଶ୍ୟମାନ ହେଉନାହାନ୍ତି ବୋଲି ସୁପ୍ରିୟା ସୁଲେ କହିଥିଲେ । ଫଡନାବିସଙ୍କୁ ତାଙ୍କ ପ୍ରଶଂସାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ।
୨୦୨୩ ଜୁଲାଇରେ ଏନସିପି ଦୁଇ ଭାଗ ହୋଇଥିଲା । ଦଳର ଅନେକ ନେତାଙ୍କ ସହ ପୁତୁରା ଅଜିତ ପାଓ୍ବାର ଶରଦ ପାଓ୍ବାରଙ୍କ ଏନସିପିରୁ ଅଲଗା ହୋଇଯାଇଥିଲେ । ଅଜିତ ପାଓ୍ବାର କ୍ଷମତାରେ ଥିବା ବିଜେପି-ଶିବସେନା ମେଣ୍ଟ ସରକାରରେ ସାମିଲ ହୋଇଥିଲେ । ଏହାପରେ ଉଭୟ ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଥିଲା । ଏପରିକି ଲୋକସଭାରେ ଭଲ ପ୍ରଦର୍ଶନ ପରେ ବିଧାନସଭାରେ ସିଧା ଟକ୍କର ଦେବାକୁ ଅଣ୍ଟା ଭିଡିଥିଲେ ଶରଦ ପାଓ୍ବାର। ହେଲେ ତାଙ୍କ ରଣନୀତି କାମ ଦେଇନଥିଲା । କ୍ଲିନ୍ ସୁଇପ୍ କରିବା ସହ କ୍ଷମତାକୁ ଆସିଥିଲା ମହାୟୁତି । ଏହାପରଠୁ ଶରଦ ପାଓ୍ବାରଙ୍କ ଭବିଷ୍ୟତ ଯୋଜନାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ନିଜେ ଶରଦ ପାଓ୍ବାର ମହାୟୁତିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।