Latest Odisha News

BREAKING NEWS

୧୯ଟି ମଠର ବିଜେସ୍ଥଳୀକୁ ଅକ୍ଷୁର୍ଣ୍ଣ ରଖାଯାଇ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା:ବିଜେଡି

ଭୁବନେଶ୍ୱର: ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଏହି ସ୍ଥଳରେ ଥିବା ୧୯ଟି ଐତିହ୍ୟ ମଠ ଗୁଡିକର ପୁନଃର୍ବାସ ନେଇ ଗତକାଲି ରାଜ୍ୟର ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡି କହିଛି, ଐତିହ୍ୟ ସ୍ୱରୂପ ବିରାଜମାନ ଥିବା ଏହି ୧୯ଟି ମଠର ମୂଳ ପୀଠ ବା ବିଜେ ସ୍ଥଳୀକୁ ଅକ୍ଷୁର୍ଣ୍ଣ ରଖାଯାଇଥିଲା ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଆସୁଥିବା କୋଟି କୋଟି ଭକ୍ତଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ, ସେଠାରେ ଥିବା ମଠ ଗୁଡିକର ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ମୂଳ ପୀଠ ବା ବିଜେସ୍ଥଳୀ ଗୁଡିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ମଠାଧିଶମାନଙ୍କ ସହ ଆଲୋଚନା କରାଯାଇ କେବଳ ବିଦ୍ୟାର୍ଥୀ ଭବନ ଓ ସନ୍ଥ ଭବନ ଇତ୍ୟାଦି ଗୁଡିକ ଭଙ୍ଗାଯାଇ, ସେଗୁଡିକ ଅନ୍ୟ ଏକ ସ୍ଥଳରେ ନିର୍ମାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ସେହି ଅନୁସାରେ, ମଠ ଗୁଡିକର ବିଜେସ୍ଥଳୀର ସୌନ୍ଦର୍ଯ୍ୟକରଣ କରାଯାଇ ଏବେ ବି ପୂର୍ବ ସ୍ଥାନରେ ବିରାଜମାନ ଅଛି ଓ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ସେଗୁଡିକ ଦର୍ଶନ କରୁଛନ୍ତି । ମଠ ଗୁଡିକର ସନ୍ଥ ଭବନ ଓ ବିଦ୍ୟାର୍ଥୀ ଭବନ ଇତ୍ୟାଦିର ଆଉ ଏକ ସ୍ଥାନରେ ପୁନଃବିନ୍ୟାସ କରାଯିବ ବୋଲି ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ, ଯାହାକୁ ମଠାଧିଶ ମାନେ ଗ୍ରହଣ କରିଥିଲେ ।

ଡ଼ଃ ମହାନ୍ତି ଆହୁରି କହିଛନ୍ତି, ମଠ ଗୁଡିକୁ ସମ୍ପୂର୍ଣ ଭାଙ୍ଗି ଦିଆ ଯାଇଥିଲା ବୋଲି ଧାରଣା ସୃଷ୍ଟି କରାଯାଉଛି, ଯାହା ଆଦୌ ଠିକ ନୁହେଁ । ଶ୍ରୀକ୍ଷେତ୍ରର ମଠ ସଂସ୍କୃତି ବେଶ ସମୃଦ୍ଧ । ମଠ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ବିଜେସ୍ଥଳୀକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ପରବର୍ତ୍ତୀ ସମୟରେ, ଏହି ମଠ ଗୁଡିକର ସନ୍ଥ ଭବନ ଓ ବିଦ୍ୟାର୍ଥୀ ଭବନ ଇତ୍ୟାଦି ଅନ୍ୟ ଏକ ସ୍ଥାନରେ ପୁନଃନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଥିଲା ବୋଲି ଡ଼ଃ ମହାନ୍ତି କହିଛନ୍ତି ।

Comments are closed.