Latest Odisha News

BREAKING NEWS

ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା

କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୦ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି ।

ଏଥିରୁ ୪୭ଟି ହାଇସ୍କୁଲ୍‌ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା କେଉଁ ନୋଡାଲ୍ ସେଣ୍ଟର୍ରୁ ଉତ୍ତର ଖାତାଗୁଡ଼ିକ କେଉଁ ମୂଲ୍ୟାୟନ କେନ୍ଦ୍ରକୁ ଯିବ ସେ ବାବଦରେ ବୋର୍ଡ ପକ୍ଷରୁ ଗୋପନୀୟ ଭାବେ ଟିମ୍ଗୁଡ଼ିକୁ ନିୟୋଜିତ କରାଯାଇଛି।

ମାର୍ଚ୍ଚ ୧୮ ତାରିଖରୁ ପରୀକ୍ଷକ ତଥା ମୂଲ୍ୟାୟନରେ ନିୟୋଜିତ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ହେବେ । ଜଣେ ଶିକ୍ଷକ ଦିନକୁ ୨୫ ରୁ ୩୦ଟି ଖାତା ଦେଖିବେ । ଏହି ମୂଲ୍ୟାୟନ ବ୍ୟବସ୍ଥାରେ ୧୨ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହୋଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ ଶିକ୍ଷାଧିକାରୀମାନେ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୪ ଜଣ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର ନିୟୋଜିତ କରାଇବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ମୁଖ୍ୟ ପରୀକ୍ଷକ, ଦୁଇ ଡେପୁଟି ଚିଫ୍ ଏକଜାମିନର ଓ ୨ ଜଣ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି ।

ଅନ୍ୟପଟେ ମାଟ୍ରିକ ପରୀକ୍ଷାରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ, ସଂସ୍କୃତ ବିଷୟ ପରୀକ୍ଷା ଶେଷ ହେବା ପରେ ଏହି ତିନୋଟି ବିଷୟର ଉତ୍ତର ଖାତା ମଙ୍ଗଳବାରଠୁ ରାଜ୍ୟର ୩୨୨ଟି ଯାକ ନୋଡାଲ୍ ସେଣ୍ଟର୍‌ରୁ ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ତିନୋଟି ବିଷୟର ଉତ୍ତର ଖାତା ଏବଂ ଓଏମ୍ଆର୍‌ସିଟ୍‌ ଗୁଡ଼ିକ ପୁଲିସ ସହାୟତାରେ କଡ଼ା ସୁରକ୍ଷା ବଳୟରେ ମୂଲ୍ୟାୟନ କେନ୍ଦ୍ର (ଭାଲ୍ୟୁଏସନ ସେଣ୍ଟର)କୁ ଦିନେ ଦୁଇଦିନ ମଧ୍ୟରେ ପହଞ୍ଚାଇବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.