Latest Odisha News

ଆଜିଠୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା; ୨,୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମୋଟ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ । ସକାଳ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ରହିଛି ମାତୃଭାଷାରେ ପରୀକ୍ଷା। ଏନେଇ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି। ୩୦୭ଟି ନୋଡାଲ୍‍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଛି ।

ସେଥିମଧ୍ୟରୁ କୋରାପୁଟ ଜିଲ୍ଲାରେ ୫ଟି, କନ୍ଧମାଳ ଜିଲ୍ଲାରେ ୭ଟି ଏବଂ ମାଲକାନଗିରି ଜିଲ୍ଲାରେ ୧୦ଟି କେନ୍ଦ୍ର ରହିଛି। ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ କରିବା ପାଇଁ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।

ସ୍କ୍ବାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକାସଙ୍ଗେ ଅନୁଷ୍ଠିତ ହେବ ।

ମାଟ୍ରିକ୍‌ ପରୀକ୍ଷାକୁ ସମ୍ପୁର୍ଣ୍ଣ କପିମୁକ୍ତ କରିବା ସହ ପ୍ରଶ୍ନପତ୍ର ଲିକ୍ ନହେବା ଉପରେ ଅଧିକ ଫୋକସ୍‌ କରାଯାଇଛି । କପି ରୋକିବା ପାଇଁ ଅଧ୍ୟାପକମାନଙ୍କୁ ସ୍ବାର୍ଡରେ ନିୟୋଜିତ କରାଯାଇଛି।

ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବା ସହ ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି ।

ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ ନିଷେଧ କରାଯାଇଛି। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳ ସଠିକ ସମୟରେ ପ୍ରକାଶ ପାଇବ ବୋଲି ଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.