Latest Odisha News

BREAKING NEWS

ଗର୍ଭବତୀଙ୍କ ସୁବିଧା ପାଇଁ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଘରୋଇ କ୍ଲିନିକ୍ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏମଓୟୁ

ସୁନ୍ଦରଗଡ଼ : ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ । ଜିଲ୍ଲାର ସୀମାନ୍ତବର୍ତ୍ତି କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର ଗର୍ଭବତୀ ମା’ମାନଙ୍କ ପାଖରେ ସୁବିଧାରେ ଏହି ସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କେନ୍ଦୁଝର ଏବଂ ଝାରସୁଗୁଡ଼ାର ୩ଟି ଘରୋଇ ହସ୍ପିଟାଲ ସହ ବୁଝାମଣାପତ୍ର ସ୍ବକ୍ଷର କରିଛି ।

ମାତୃଜ୍ୟୋତି ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଗର୍ଭବତୀଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି । ଏଥିପାଇଁ ଜିଲ୍ଲାର ୮ଟି ସରକାରୀ ଡାକ୍ତରଖାନା ଏବଂ ୪୫ଟି ଘରୋଇ କ୍ଲିନିକକୁ ପ୍ରଶାସନ ପକ୍ଷରୁ ଅନୁବନ୍ଧିତ କରାଯାଇଛି । ଗାଁ ଗହଳିରୁ ଗର୍ଭବତୀ ମା’ମାନଙ୍କୁ ନିଆଯାଇ ନିର୍ଦ୍ଧାରିତ କ୍ଲିନିକରେ ଏହି ପରୀକ୍ଷା ସେବା ଯୋଗାଇ ଦେବା ସହ ଡାକ୍ତରଙ୍କ ପରାମର୍ଶ ସୁନିଶ୍ଚିତ କରାଯାଉଛି ।

ଖଣି ପ୍ରଭାବିତ ତଥା ବଣପାହାଡ଼ ଘେରା କୋଇଡ଼ା, ଲହୁଣୀପଡ଼ା ଓ ହେମଗିରି ବ୍ଲକର କେତେକ ଅଞ୍ଚଳରେ ଗର୍ଭବତୀମାନେ ଏହି ସେବା ପାଇବାରେ କିଛିଟା ଅସୁବିଧା ହେଉଥିଲା । ମାତୃଜ୍ୟୋତି ସେବା ପାଇଁ ଅନୁବନ୍ଧିତ ଡାକ୍ତରଖାନା ବା କ୍ଲିନିକ୍ ହିତାଧିକାରୀଙ୍କ ଘରଠାରୁ ଅପେକ୍ଷାକୃତ ଦୂରରେ ରହିଥିବାରୁ ତଥା ଭୌଗୋଳିକ ଦୃଷ୍ଟିରୁ ଯିବା ଆସିବା କରିବାରେ କିଛିଟା ସମସ୍ୟା ଥିବାରୁ ଏହି କଥା ଉଠୁଥିଲା । ତେବେ ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ଥିବା ଟାଟା ଷ୍ଟିଲ ହସ୍ପିଟାଲ ଓ ମୋହତା ହସ୍ପିଟାଲ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହା ଫଳରେ କୋଇଡ଼ା ଓ ଲହୁଣୀପଡ଼ା ଅଞ୍ଚଳର ମା’ମାନଙ୍କ ପାଇଁ ଏହା ସୁବିଧାଜନକ ହେବ ।

ସେହିପରି ହେମଗିରି ବ୍ଲକର ଗର୍ଭବତୀଙ୍କୁ ‘ମାତୃଜ୍ୟୋତି’ ଅଧୀନରେ ଅଲଟ୍ରାସାଉଣ୍ଡ ଓ ଆନୁଷଙ୍ଗିକ ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ସହିତ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡରେ ଥିବା ଆଶୀର୍ବାଦ ହସ୍ପିଟାଲ ସହ ଚୁକ୍ତିନାମା ସ୍ବାକ୍ଷର କରିଛି । ମାତୃଜ୍ୟୋତି ଅଧୀନରେ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗର୍ଭବତୀଙ୍କୁ ସେମାନଙ୍କ ଘରୁ ଆଣି ନିକଟସ୍ଥ ଅନୁବନ୍ଧିତ କେନ୍ଦ୍ରରେ ପରୀକ୍ଷା କରାଇଥାନ୍ତି । ଏହି ସେବା ହିତାଧିକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅନୁବନ୍ଧିତ ଘରୋଇ କ୍ଲିନିକଗୁଡ଼ିକୁ ଏକ ପୂର୍ବ ନିର୍ଦ୍ଧାରିତ ଦରରେ ଦେୟ ପୈଠ କରିଥାଏ । କେନ୍ଦୁଝର ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲ ଏହି ସେବାକୁ ମାଗଣାରେ ପ୍ରଦାନ କରିବ । ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ଟାଟା ଷ୍ଟିଲ ଏହାକୁ କମ୍ପାନିର ସିଏସଆର କାର୍ଯ୍ୟକ୍ରମ ଭିତରେ ସାମିଲ କରିଛି ।

ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ପଡ଼ୋଶୀ ଜିଲ୍ଲାରେ ଅବସ୍ଥିତ ଏହି ୩ଟି ଘରୋଇ ହସ୍ପିଟାଲ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାସିନୀ ଚକ୍ରଙ୍କ ସହିତ ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୂଚୀସ୍ମିତା ଦାସ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ପରାମର୍ଶଦାତା ଡାକ୍ତର ଜୟସିଂହ ମାଝି, ମୋହତା ହସ୍ପିଟାଲର ଡାକ୍ତର ଅନମୋଲ ମୋହତା, ଝାରସୁଗୁଡ଼ା ଆଶୀର୍ବାଦ ହସ୍ପିଟାଲର ଡାକ୍ତର ମିହିର ରଞ୍ଜନ ଦାଶ ଉପସ୍ଥିତ ଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହାର ନିୟନ୍ତ୍ରଣ ପାଇଁ ୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ୨୦୨୧ ନଭେମ୍ବର ୧୨ ତାରିଖ ସୁଦ୍ଧା ୩୦ ହଜାରରୁ ଅଧିକ ସଂଖ୍ୟକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.