ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ବିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ ‘ଛାବା’ । ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗିବାରେ ଲାଗିଛି ଛାବା । ଯେତେ ରେକର୍ଡ ଭାଙ୍ଗୁଛି ଫିଲ୍ମକୁ ନେଇ ବିବାଦ ମଧ୍ୟ ସେତେ ବଢୁଛି । ଫିଲ୍ମ ଛାବାର ପିଛା ଛାଡୁନି ବିବାଦ । ଏବେ ପୁଣି ଫିଲ୍ମକୁ ନେଇ ଦଙ୍ଗା ସୃଷ୍ଟି ହୋଇଛି । ଯାହାକୁ ନେଇ ନିର୍ଦ୍ଦେଶକ, ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୌଲାନା ଶହାବୁଦ୍ଦିନ ରଜବୀ ।
ଫିଲ୍ମରେ ଦେଖିବାକୁ ମିଳିଥିବା କିଛି ଗୁରୁତ୍ଵପୁର୍ଣ୍ଣ ସିନ୍ ପାଇଁ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି ମୌଲାନା । ମୌଲାନା ଅଭିଯୋଗ କରିଛନ୍ତି ଯେ, ଫିଲ୍ମ ଛାବା’ରେ ଔରଙ୍ଗଜେବ ବାଦଶାହଙ୍କୁ ହିନ୍ଦୁ ବିରୋଧୀ ଭାବେ ପ୍ରଦର୍ଶନ କରି ହିନ୍ଦୁ ଯୁବଗୋଷ୍ଠୀଙ୍କୁ ଉତ୍ୟକ୍ତ କରାଯାଉଛି । ଯେଉଁଥିପାଇଁ ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁରରେ ଦଙ୍ଗା ପରି ପରିସ୍ଥିତି ଉପୁଜିଥିଲା । ତେଣୁ ସମାଜରେ ଶାନ୍ତି ଓ ଏକତାର ପ୍ରତିଷ୍ଠା ପାଇଁ ଏଭଳି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରିବା ସହ ଏହାର ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠିରେ ଲେଖିଛନ୍ତି ମୌଲାନା ଶହାବୁଦ୍ଦିନ ରଜବୀ ।
କହିରଖୁଛୁ ଯେ, ଭିକି କୌଶଲଙ୍କ ଫିଲ୍ମ ଛାବା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ, ଯିଏ ତାଙ୍କ ପତି ଛତ୍ରପତି ଶିବାଜୀଙ୍କ ମୃତ୍ୟୁ ପରେ ମରାଠା ସାମ୍ରାଜ୍ୟ ସମ୍ଭାଳିଥିଲେ । ସେ ୧୬୮୧ରୁ ୧୬୮୯ ପର୍ଯ୍ୟନ୍ତ ମରାଠାମାନଙ୍କ ନେତୃତ୍ୱ ନେଇଥିଲେ ଏବଂ ଏହି ସମୟରେ ସେ ଅନେକ ଯୁଦ୍ଧ ମଧ୍ୟ କରିଥିଲେ । ଫିଲ୍ମରେ ଗାନୋଜି ଏବଂ କାନହୋଜି ନାମକ ଦୁଇଟି ଚରିତ୍ରକୁ ସମ୍ଭାଜୀ ମହାରାଜଙ୍କୁ ବିଶ୍ୱାସଘାତକତା କରୁଥିବା ଏବଂ ଔରଙ୍ଗଜେବଙ୍କ ସହ ହାତ ମେଳାଉଥିବା ଦେଖାଯାଇଛି । ଏହାକୁ ନେଇ ମରାଠା ଯୋଦ୍ଧା ଗାଣେଜି ଶିର୍କେ ଲବଂ କାନଜୋହି ଶିର୍କେଙ୍କ ବଂଶଧରମାନେ ବିରୋଧ କରିଛନ୍ତି ଏବଂ ଏହା ଇତିହାସକୁ ଭୁଲ ଭାବେ ଉପସ୍ଥାପନା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାଛଡା ମହାରାଷ୍ଟ୍ରର ଅନେକ ଗୋଷ୍ଠୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।
Comments are closed.