Latest Odisha News

BREAKING NEWS

ରାଜ୍ୟପାଳଙ୍କ ଫିଡ଼ବ୍ୟାକ ଆଉ ମେଣ୍ଟ ଚର୍ଚ୍ଚା

ଭୁବନେଶ୍ୱର: ମେଣ୍ଟ ସମ୍ଭାବନାକୁ ପ୍ରଭାବିତ କରିବ କି ରାଜ୍ୟପାଳଙ୍କ ଫିଡ଼ବ୍ୟାକ। ରାଜ୍ୟ ବିଜେପି ନେତା ଦିଲ୍ଲୀରେ ଡେରା ପକାଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଦିଲ୍ଲୀ ଗସ୍ତରେ ରହିଛନ୍ତି। କୁହାଯାଉଛି କି ମେଣ୍ଟ ସମ୍ପର୍କିତ ମତାମତ ନେବାକୁ ରାଜ୍ୟପାଳଙ୍କୁ ଦିଲ୍ଲୀ ଡକରା ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। କୁହାଯାଉଛି ରାଜ୍ୟରେ ତୃଣମୂଳ ସ୍ତରରେ ବିଜେପିର ସ୍ଥିତି ଉପରେ କେନ୍ଦ୍ରୀୟ ନେତାଙ୍କୁ ଫିଡ଼ବ୍ୟାକ ପ୍ରଦାନ କରିଛନ୍ତି ରାଜ୍ୟପାଳ। ସେପଟେ ମେଣ୍ଟକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।

ନିର୍ବାଚନ ମୁଣ୍ଡ ଉପରେ ରହିଥିବା ବେଳେ ଏବେ ରାଜ୍ୟରେ ଦଳୀୟ କାର୍ଯ୍ୟାଳୟରେ ଅସ୍ୱଭାବିକ ନିରବତା ଦେଖିବାକୁ ମିଳୁଛି। ଆଉ ଏହି ନିରବତା ହିଁ ମେଣ୍ଟ ଆଶାକୁ ମଜବୁତ କରିବାରେ ଲାଗିଛି। ସେପଟେ ମେଣ୍ଟକୁ ନେଇ ରାଜ୍ୟ ବିଜେପିର ତୁଙ୍ଗ ନେତା କେନ୍ଦ୍ରୀୟ ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ହେବାରେ ସୂଚନା ଅଛି। ରବିବାର ଦିନ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ, ପ୍ରଭାରୀ ଓ ସହ ପ୍ରଭାରୀ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତ ପରେ ମେଣ୍ଟକୁ ନେଇ ଆଲୋଚନା ଜୋର ଧରିଛି।

ରାଜ୍ୟ ବିଜେପି ମେଣ୍ଟ ନ କରିବାକୁ ପ୍ରସ୍ତାବ ଦେଇ ଆସୁଛି। ରାଜ୍ୟ ବିଜେପି ମେଣ୍ଟ ନ କରି ନିଜେ ନିଜେ ଲଢିବାକୁ କହୁଥିବା ସୂଚନା ରହିଛି। ତେବେ ରାଜ୍ୟରେ କେତେ ଆସନରେ ବିଜେପି ବିଜୟ ହାସଲ କରିପାରିବ, ରାଜ୍ୟରେ ତୃଣମୂଳ ସ୍ଥିତି କଣ ରହିଛିର ପ୍ରଶ୍ନରେ ସଠିକ ଉତ୍ତର ରଖିପାରୁନଥିବା ମଧ୍ୟ ସୂଚନା ରହିଛି। ଫଳରେ ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ବାରମ୍ବାର ବୈଠକ କରୁଛନ୍ତି କେନ୍ଦ୍ରୀୟ ବିଜେପି ଶୀର୍ଷ ନେତୃତ୍ୱ। ଏହି ବୈଠକ ମଧ୍ୟରେ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟପାଳ।

ଆଉ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତ ମେଣ୍ଟ ଚର୍ଚ୍ଚା ମଧ୍ୟରେ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହିଥିବା ନେଇ ରାଜନୈତିକ ଆଲୋଚନା ହେଉଛି। ରାଜ୍ୟପାଳ ଦିଲ୍ଲୀ ଗସ୍ତ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। କୁହାଯାଉଛି କି ରାଜ୍ୟପାଳ କେନ୍ଦ୍ରୀୟ ନେତାଙ୍କୁ ମେଣ୍ଟ ପ୍ରଭାବ ଉପରେ ମତ ଦେଇଛନ୍ତି। ଆଉ ତାଙ୍କର ମତାମତ ହିଁ ମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ କରିବ। ରାୟ ସହାୟକ ହେବ ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି। କୁହାଯାଉଛି କି କିଛି ଦିନ ପୂର୍ବରୁ ରାଜ୍ୟପାଳ ଜିଲ୍ଲା ଜିଲ୍ଲା ବୁଲି ତୃଣମୂଳ ସ୍ତରରେ ସ୍ଥିତି ପରଖିଥିଲେ। ଏପରିକି ଟିକିନିକି ଖବର ସୋସିଆଲ ମିଡ଼ିଆରେ କେନ୍ଦ୍ର ନେତୃତ୍ୱଙ୍କୁ ଟ୍ୟାଗ କରି ପୋଷ୍ଟ କରିଥିଲେ। ଫଳରେ ରାଜ୍ୟ ନେତୃତ୍ୱଙ୍କ ମତାମତ ପରିବର୍ତ୍ତେ ରାଜ୍ୟପାଳଙ୍କ ମତାମତ ବେଶ ଗୁରୁତ୍ୱପୂର୍ଣ୍ଣ ରଖିବ ବୋଲି ଚର୍ଚ୍ଚା ଜୋର ହେଉଛି। ଆହୁରି ମଧ୍ୟ ଚର୍ଚ୍ଚା ହେଉଛି କି ମେଣ୍ଟ ବିରୋଧରେ ରାଜ୍ୟପାଳ ତାଙ୍କ ମତାମତ ଦେଇଛନ୍ତି। କାରଣ ବିଜେପିର ତୃଣମୂଳ ସ୍ତରରେ ବିଜେପିର ସ୍ଥିତି ସମ୍ପର୍କରେ ଅବଗତ ହେବା ସହିତ ରିପୋର୍ଟ ମଧ୍ୟ ପ୍ରଦାନ କରିଥିବା ସୂଚନା ରହିଛି।

Comments are closed.