ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଏକ ପ୍ରକାର ବାଣିଜ୍ୟ ଯୁଦ୍ଧ ଘୋଷଣା କରି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାରିଆଡୁ ଘେରିଛନ୍ତି । ପ୍ରଥମେ ଟାରିଫ୍ ମାଡ, ତାପରେ ଏବେ ପାକିସ୍ତାନ ସହ ଟ୍ରେଡ୍ ଡିଲ୍ ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ଜରିମାନା ସହିତ ୨୫% ଶୁଳ୍କ ଲାଗୁ କରିବାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ଆମେରିକା ଦେଶର ବିଶାଳ ତୈଳ ଭଣ୍ଡାରକୁ ମିଳିତ ଭାବରେ ବିକଶିତ କରିବା ପାଇଁ ପାକିସ୍ତାନ ସହିତ ଏକ ନୂତନ ବାଣିଜ୍ୟ ଚୁକ୍ତି କରିଛି । ଆଉ ଭାରତକୁ କଟାକ୍ଷ କରି କହିଛନ୍ତି ଯେ, ଦିନ ଏମିତି ବି ଆସିପାରେ ଯେ ପାକିସ୍ତାନ କାଳେ ନୂଆଦିଲ୍ଲୀକୁ ତେଲ ରପ୍ତାନି କରିପାରିବ । ଖାଲି ସେତିକି ନୁହେଁ, କିଛି ଇରାନୀ ତୈଳ କମ୍ପାନୀକୁ ମଧ୍ୟ କଟକଣା ଲଗାଇଛନ୍ତି । ଯାହା ମଧ୍ୟରେ ଭାରତର ୬ କମ୍ପାନୀ ରହିଛି । ଯାହା ଏବେ ଭାରତର ରପ୍ତାନୀ ବଜାରକୁ ଶକ୍ତ ଆଘାତ ।
ଏନେଇ ନିଜ ସୋସିଆଲ ମିଡିଆରେ ଟ୍ରମ୍ପ ଲେଖିଛନ୍ତି, ଆମେ ପାକିସ୍ତାନ ଦେଶ ସହିତ ଏକ ଚୁକ୍ତି କରିଛୁ, ଯେଉଁଠାରେ ପାକିସ୍ତାନ ଏବଂ ଆମେରିକା ସେମାନଙ୍କର ବିଶାଳ ତୈଳ ଭଣ୍ଡାର ବିକାଶ ପାଇଁ ଏକାଠି କାମ କରିବେ । କିଏ ଜାଣେ, ହୁଏତ ସେମାନେ କୌଣସି ଦିନ ଭାରତକୁ ତେଲ ବିକ୍ରୟ କରିବେ । ଯାହା ଏବେ ଭାରତ ସହ ବାଣିଜ୍ୟ ନେଇ ଟ୍ରମ୍ପଙ୍କ ଅସନ୍ତୋଷକୁ ସ୍ପଷ୍ଟ ବାରିଛି ।
ଟ୍ରମ୍ଫଙ୍କ ଦ୍ୱାରା ଅଗଷ୍ଟ ୧ ରୁ କାର୍ଯ୍ୟକାରୀ ହେବାକୁ ଥିବା ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୨୫% ଶୁଳ୍କ ଏବଂ ଅତିରିକ୍ତ ଦଣ୍ଡ ଘୋଷଣା ପରେ ଏହା ଆସିଛି। ସେ ରୁଷ ସହିତ ଭାରତର ନିରନ୍ତର ତୈଳ ବାଣିଜ୍ୟ ଏବଂ ଏହି ନିଷ୍ପତ୍ତି ପଛରେ ଥିବା ବାଣିଜ୍ୟ ପ୍ରତିବନ୍ଧକକୁ ପ୍ରମୁଖ କାରଣ ଭାବରେ ଇଙ୍ଗିତ କରିଥିଲେ। ରାଷ୍ଟ୍ରପତି ଟ୍ରୁଥ୍ ସୋସିଆଲରେ ସେୟାର କରିଛନ୍ତି ଯେ ହ୍ୱାଇଟ୍ ହାଉସରେ ଏହା ଏକ ଅତ୍ୟନ୍ତ ବ୍ୟସ୍ତ ଦିନ ଥିଲା, ମୁଖ୍ୟତଃ ବାଣିଜ୍ୟ ଆଲୋଚନା ଉପରେ କେନ୍ଦ୍ରିତ । ମୁଁ ଅନେକ ଦେଶର ନେତାଙ୍କ ସହ କଥା ହୋଇଛି, ଯେଉଁମାନେ ସମସ୍ତେ ଆମେରିକାକୁ ଅତ୍ୟନ୍ତ ଖୁସି କରିବାକୁ ଚାହାଁନ୍ତି । ଏସବୁ ଆମର ବାଣିଜ୍ୟ ନିଅଣ୍ଟକୁ ବହୁତ ବଡ଼ ପରିମାଣରେ ହ୍ରାସ କରିବାରେ ସାହାଯ୍ୟ କରିବ । ଟ୍ରମ୍ପ ଆହୁରି କହିଛନ୍ତି ଯେ ପ୍ରଶାସନ ବର୍ତ୍ତମାନ ଆମେରିକା-ପାକିସ୍ତାନ ଶକ୍ତି ସହଭାଗୀତାର ନେତୃତ୍ୱ ନେବା ପାଇଁ ଏକ ତୈଳ କମ୍ପାନୀକୁ ଚୟନ କରୁଛି। ସେ ନିର୍ଦ୍ଦିଷ୍ଟ ଫାର୍ମଗୁଡ଼ିକର ନାମ ଦେଇ ନଥିଲେ କିମ୍ବା ପ୍ରକଳ୍ପ ଆରମ୍ଭ ପାଇଁ ସମୟସୀମା ପ୍ରଦାନ କରି ନଥିଲେ।
ଗତ ସପ୍ତାହରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର କହିଥିଲେ ଯେ ଆମେରିକା ଏବଂ ପାକିସ୍ତାନ ଏକ ବାଣିଜ୍ୟ ଚୁକ୍ତିର ବହୁତ ନିକଟତର । ଯାହା କିଛି ଦିନ ମଧ୍ୟରେ ହୋଇପାରେ, ସେ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିବା କରି ଏହି ମନ୍ତବ୍ୟ ଦେଇଥିଲେ । ଏଥିସହିତ ଡାରଙ୍କ ସହ ରୁବିଓଙ୍କ ସାକ୍ଷାତ ପରେ ଜାରି ହୋଇଥିବା ପୃଥକ ବିବୃତ୍ତିରେ, ଆମେରିକାର ବୈଦେଶିକ ବିଭାଗ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଥିଲେ ଯେ ଦୁଇ ଶୀର୍ଷ କୂଟନୀତିଜ୍ଞ ବାଣିଜ୍ୟ ବିସ୍ତାର ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଖଣି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବାର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲା ।
ଅପରପକ୍ଷରେ ଭାରତତ ବାଣିଜ୍ୟ ଉପରେ ବଡ ପ୍ରହାର କରିବାକୁ ସବୁଆଡୁ ଘେରିଚନ୍ତି ଟ୍ରମ୍ପ । ଆମେରିକା ଭାରତକୁ ଆଉ ଏକ ଝଟକା ଦେଇ ଏହାର ୬ଟି ପେଟ୍ରୋଲିୟମ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି କମ୍ପାନୀଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ଇରାନ ସରକାର ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରେ ଏବଂ ଅସ୍ଥିରତା ବିସ୍ତାର କରିବା ପାଇଁ ଅର୍ଥ ବ୍ୟବହାର କରେ। ଆମେରିକା ଏହି ରାଜସ୍ୱ ଉତ୍ସକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେଉଛି, ଯାହାକୁ ଇରାନ ଆତଙ୍କବାଦକୁ ସମର୍ଥନ କରିବା ଏବଂ ଏହାର ଲୋକମାନଙ୍କୁ ଦମନ କରିବା ପାଇଁ ବ୍ୟବହାର କରେ।” ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଇରାନ ସହିତ ବ୍ୟବସାୟ କରୁଥିବା ୨୦ଟି କମ୍ପାନୀକୁ ନିଷିଦ୍ଧ କରିଛି, ଯେଉଁଥିରେ ଛଅଟି ଭାରତୀୟ କମ୍ପାନୀ ଅନ୍ତର୍ଭୁକ୍ତ । ଭାରତ ସହିତ, ଆମେରିକା ଅନ୍ୟ ଦେଶର କମ୍ପାନୀଗୁଡ଼ିକୁ ମଧ୍ୟ ନିଷିଦ୍ଧ କରିଛି। ଏଥିରେ ତୁର୍କୀ, ୟୁଏଇ, ଚୀନ୍ ଏବଂ ଇଣ୍ଡୋନେସିଆ ଅନ୍ତର୍ଭୁକ୍ତ। ଆମେରିକା ଏହା ମଧ୍ୟ କହିଛି ଯେ ଏହି ଦେଶଗୁଡ଼ିକର କମ୍ପାନୀଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଛନ୍ତି ଏବଂ ଏହି କାରଣରୁ ସେମାନଙ୍କୁ ନିଷିଦ୍ଧ କରାଯାଇଛି । ଯାହା ପରେ ଏବେ ଭାରତର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ।
Comments are closed.