ଭୁବନେଶ୍ବର: ‘ଅପରାଜିତାଙ୍କ ପାଇଁ ଦଳ ବଡ, ସହର ବଡ ନୁହେଁ’ । ଆଜି ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତକୁ ନେଇ କିଛି ଏପରି ବୟାନ ରଖିଛନ୍ତି ଭୁବନେଶ୍ବର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ ।
ସିଧା ସାଂସଦଙ୍କୁ ଟାର୍ଗେଟ କରି ମେୟର କହିଛନ୍ତି, ତାଙ୍କ ଦଳର ପ୍ରଶିକ୍ଷଣ ଚାଲିଛି, ତେଣୁ ସେମାନେ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଥାଏ ଯେ ତାଙ୍କୁ ଡାକୁନାହାନ୍ତି । ହେଲେ ସାଂସଦଙ୍କୁ ଯେତେବେଳେ ନିମନ୍ତ୍ରଣ କରାଯାଏ ସେ ଆସନ୍ତି ନାହିଁ, ଆଜି ମଧ୍ୟ ପ୍ରମାଣିତ କରିଛନ୍ତି । ଆଜି ମଧ୍ୟ ଡକାଯାଇଥିଲା, ହେଲେ ତାଙ୍କ ପାଇଁ ଦଳ ବଡ ହେଲା, ସହର କି ସଂସଦୀୟ କ୍ଷେତ୍ର ବଡ ହେଲା ନାହିଁ, ଭୁବନେଶ୍ୱରବାସୀ ବଡ ହେଲେ ନାହିଁ । ସେ କାହିଁକି ଆସିଲେନି ତାଙ୍କୁ ପଚାରିବେ, କିନ୍ତୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ଭୁବନେଶ୍ୱର ଏକାମ୍ର ବିଧାୟକ ମଧ୍ୟ ଅନୁପସ୍ଥିତ ରହିଥିଲେ? ଆଜିର ଦିନରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀ ଯାଇ ପାରିଥାନ୍ତେ । କିନ୍ତୁ ସେ ଏହି କାର୍ଯ୍ୟକ୍ରମକୁ ବଡ ବୋଲି ଭାବିଲେ ନାହିଁ, କି ଗୁରୁତ୍ଵ ଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ସୁଲୋଚନା । ଏଥିସହିତ ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଯୋଗ ଦେଇନଥିଲେ ବୋଲି କହିଥିଲେ ମେୟର ।
ତେବେ ଏନେଇ ଅପରାଜିତାଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ମେୟରଙ୍କୁ କଡା ଜବାବ ଦେଇଛନ୍ତି ବିଧାୟକ ବାବୁ ସିଂ । କହିଛନ୍ତି, ମେୟର ହେଉଛନ୍ତି ଭୁବନେଶ୍ବରର ୧ ନଂ ନାଗରିକ । ତେଣୁ ସେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ବକ୍ତବ୍ୟ ଦେବା ଉଚିତ୍ । ପୂର୍ବରୁ ମୁଁ ଉପସ୍ଥିତ ରହିବି ନାହିଁ ବୋଲି ଜଣାଇଥିଲି । ଅନ୍ୟମାନଙ୍କୁ ନେଇ କାର୍ଯ୍ୟକ୍ରମ ଚଳାଇବାକୁ ଅନୁରୋଧ କରିଥିଲି ।
Comments are closed.