Latest Odisha News

BREAKING NEWS

ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ବସେବାକୁ ସୁଦୃଢ଼ କରିବା ପାଇଁ ଏମ୍.ସି.ଏଲ୍ ଦ୍ଵାରା ୪୬.୫୧ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର

ସମ୍ବଲପୁର: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ପକ୍ଷରୁ କଟକସ୍ଥିତ ଅଗ୍ରଣୀ ସରକାରୀ ମେଡ଼ିକାଲ ପ୍ରତିଷ୍ଠାନଗୁଡ଼ିକ ସହିତ ଦୁଇଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶାରେ ସାର୍ବଜନୀନ ସ୍ୱାସ୍ଥ୍ବ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ଯରେ ୪୬.୫୧ କୋଟି ଟଙ୍କା ବ୍ଯୟବରାଦ କରାଯାଇଛି। ଏଥିରେ ମୁଖ୍ଯତଃ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକ (ଏସସିବିଏମ୍ସିଏଚ୍) ରେ ଉନ୍ନତ ନିଦାନ ସୁବିଧାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଛି।

ଏମ୍.ସି.ଏଲ୍., ଏହାର ସି.ଏସ୍.ଆର୍. ପଦକ୍ଷେପ ଅଧୀନରେ, କଟକ ସ୍ଥିତ ଏସ୍ସିବିଏମ୍ସିଏଚ୍ ଠାରେ ଦୁଇଟି ୧୨୮ ସ୍ଲାଇସ୍ ଡୁଆଲ୍ ଏନର୍ଜି ସିଟି ସ୍କାନ୍ ମେସିନ୍ ଏବଂ ଗୋଟିଏ ୧.୫ ଟେସ୍ଲା ଏମ୍.ଆର୍.ଆଇ ମେସିନ୍ କ୍ରୟ ଓ ସ୍ଥାପନ ପାଇଁ ୪୬.୩୪ କୋଟି ଟଙ୍କା ବ୍ଯୟବରାଦ କରିଛି। ଏହି ହସ୍ପିଟାଲରେ ପ୍ରତିଦିନ ହାରାହାରି ୮,୦୦୦-୧୦,୦୦୦ ରୋଗୀଙ୍କ ଓପିଡି ସହିତ ଉନ୍ନତ ଇମେଜିଂ ସିଷ୍ଟମ ସ୍ଥାପନ ହେବା ଦ୍ୱାରା ରୋଗ ନିର୍ଣ୍ଣୟ ସଠିକତା ବୃଦ୍ଧି ପାଇବ, ପରୀକ୍ଷା ପାଇଁ ଅପେକ୍ଷା ସମୟ ହ୍ରାସ ପାଇବ ଏବଂ ବାର୍ଷିକ ଓଡ଼ିଶା ତଥା ଆଖପାଖ ଅଞ୍ଚଳର ପ୍ରାୟ ୨୫-୩୦ ଲକ୍ଷ ରୋଗୀ ଉପକୃତ ହେବେ।

ଅନ୍ଯ ଏକ ପଦକ୍ଷେପରେ, ଏମ୍.ସି.ଏଲ୍ କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ସଂସ୍ଥାନ (ଏସଭିପିପିଜିଆଇପି) ସହିତ ମଧ୍ୟ ଗୋଟିଏ ଏମଓୟୁ ସ୍ୱାକ୍ଷର କରିଛି ଯାହା ‘ଶିଶୁ ଭବନ’ ଭାବେ ପରିଚିତ। ଏହି ଏମଓୟୁ ଅନ୍ତର୍ଗତ ଏମ୍.ସି.ଏଲ୍ ଦ୍ୱାରା ତିନୋଟି ୮ ସିଟ୍ ବିଶିଷ୍ଟ ବ୍ୟାଟେରୀ ଚାଳିତ ଯାତ୍ରୀବାହୀ ଯାନ କ୍ରୟ ପାଇଁ ୧୬.୯୯ ଲକ୍ଷ ଟଙ୍କାର ସିଏସ୍ଆର୍ ସହାୟତା ପ୍ରଦାନ କରାଯିବ। ଏହା ଡାକ୍ତରଖାନା ପରିସରରେ ରୋଗୀ, ବିଶେଷ କରି ଶିଶୁ ଏବଂ ସେମାନଙ୍କ ପରିବାରର ନିରାପଦ, ସୁଗମ ଏବଂ ପରିବେଶ ଅନୁକୂଳ ଗତିବିଧିକୁ ସୁନିଶ୍ଚିତ କରିବ।

ଏହି ପଦକ୍ଷେପ ଗୁଡ଼ିକ ମାଧ୍ଯମରେ, ଏମ୍.ସି.ଏଲ୍ ଏହାର ମୂଳ ବ୍ଯବସାୟିକ କାର୍ଯ୍ଯକଳାପଠାରୁ ଆଗକୁ ବଢ଼ିଛି ଏବଂ ଓଡ଼ିଶାରେ ସ୍ୱାସ୍ଥ୍ଯସେବା ସୁବିଧାଗୁଡ଼ିକୁ ମଜବୁତ କରିବା, ଜୀବନ ରକ୍ଷାକାରୀ ଭିତ୍ତିଭୂମି ଏବଂ ସମ୍ପ୍ରଦାୟ କଲ୍ୟାଣକୁ ସମର୍ଥନ କରିବା ଦିଗରେ ଏହାର ନିରନ୍ତର ପ୍ରତିବଦ୍ଧତାକୁ ଦୃଢ କରୁଛି।

Leave A Reply

Your email address will not be published.