Latest Odisha News

ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌, ମସଲାରେ ଇଥିଲିନ୍ ଅକ୍ସାଇଡ୍‌ ର କୌଣସି ଉପସ୍ଥିତି ନଥିବା ସ୍ପଷ୍ଟ କଲା ଏଫଏସଏସଆଇ

ନୂଆଦିଲ୍ଲୀ: ଏମଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା ବଡ ଆଶ୍ୱସ୍ତି । ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ଇଥିଲିନ୍‌ ଅକ୍ସାଇଡ୍‌ (ଇଟିଓ)ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (ଏଫଏସଏସଆଇ) ।

ସିଙ୍ଗାପୁର, ହଂଗକଂଗ ପରେ ନେପାଳରେ ଏମ୍‌ଡିଏଚ୍‌ ଓ ଏଭରେଷ୍ଟର କିଛି ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କାରକ ତଥା କାର୍‌କିନୋଜେନ୍ସ ଓ ଇଟିଓ ଥିବା ଦାବି କରାଯାଇ ଏହି ଭାରତୀୟ ମସଲା ଗୁଡିକୁ ବ୍ୟାନ୍ କରାଯାଇଛି । ଏହାପରେ ଉକ୍ତ ମସଲାର ମାନକୁ ନେଇ ପ୍ରଶ୍ନ ଉଠିଥିଲା । ଏପ୍ରିଲ୍ ୨୨ରେ ଦେଶର ସମସ୍ତ ଫୁଡ୍‌ କମିଶନରଙ୍କୁ ମସଲାର ନମୂନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଫଏସଏସଆଇ ଭାରତୀୟ ମସଲାର ନମୂନା ପରୀକ୍ଷା ପାଇଁ ନେଇଥିଲା ।

ଏଭରେଷ୍ଟ ମସଲାର ଦୁଇଟି ଉତ୍ପାଦନ ୟୁନିଟ୍‌ରୁ ୯ଟି ନମୂନା ନିଆଯାଇଥିଲା । ସେହିପରି ଏମଡିଏଚ୍ ର ୧୧ଟି ଉତ୍ପାଦନ ୟୁନିଟ୍‌ରୁ ୨୫ଟି ନମୂନା ସଂଗ୍ରହ କରାଯାଇଥିଲା । ସଂଗ୍ରହ କରାଯାଇଥିବା ମୋଟ ୩୪ଟି ନମୂନା ଭିତରୁ ୨୮ଟିର ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଇଥିଲିନ୍ ଅକ୍ସାଇଡ୍‌ର କୌଣସି ଉପସ୍ଥିତି ନଥିବା ଏଫଏସଏସଆଇ ସ୍ପଷ୍ଟ କରିଛି ।

ସେହିପରି ଅନ୍ୟ କମ୍ପାନୀର ମସଲା ଗୁଡିକର ୩୦୦ଟି ନମୂନା ପରୀକ୍ଷା କରାଯାଇଥିଲା । ଏଥିରେ ମଧ୍ୟ ଇଟିଓ ର କୌଣସି ଉପସ୍ଥିତି ନଥିବା କୁହାଯାଇଛି । ଅନ୍ୟାନ୍ୟ ପାରାମିଟରରେ ମଧ୍ୟ ହୋଇଥିବା ପରୀକ୍ଷାରେ ଭାରତୀୟ ବଜାରରେ ଉପଲବ୍ଧ ମସଲା ପାସ୍‌ ହୋଇଛି ।

Comments are closed.