Latest Odisha News

BREAKING NEWS

ମସଲାରୁ କ୍ୟାନ୍ସର କାରକ ମିଳୁଥିବା ଅଭିଯୋଗକୁ ଖଣ୍ଡନ କଲା ଏମଡିଏଚ

ନୂଆଦିଲ୍ଲୀ: ମସଲାରେ କ୍ୟାନ୍ସର ଭଳି ଗମ୍ଭୀର ରୋଗ ପାଇଁ ଦାୟୀ କୀଟନାଶକ ମିଳିବା ଖବର ପାଇବା ପରେ ମସଲାକୁ ନେଇ ଦେଖାଦେଇଛି ବିବାଦ । ଚାଲିଥିବା ବିବାଦ ମଧ୍ୟରେ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛି ବିବାଦରେ ଥିବା ପ୍ରମୁଖ ମସଲା ବ୍ରାଣ୍ଡ ଏମଡିଏଚ । ଏମଡିଏଚ କହିଛି ଯେ, ଏହାର ମସଲା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । ତାଙ୍କ ମସଲାରେ କୀଟନାଶକ ମିଳିବା ଅଭିଯୋଗକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି ।

ଏ ବାବଦରେ ଏମଡିଏଚ ଏକ ବିବୃତ୍ତି ଜାରି କରି କହିଛି ଯେ, ଏପର୍ଯ୍ୟନ୍ତ ତା’କୁ ହଂକଂ କିମ୍ବା ସିଙ୍ଗାପୁରର ଖାଦ୍ୟ ନିରାପତ୍ତା ଆୟୋଗଙ୍କଠାରୁ କୌଣସି କମ୍ୟୁନିକେଶନ ମିଳିନାହିଁ । ଉଭୟ ଦେଶର ରେଗୁଲେଟର୍ସମାନେ ସ୍ପାଇସ୍ ବୋର୍ଡ ଅଫ୍ ଇଣ୍ଡିଆ କିମ୍ବା ଘରୋଇ ନିୟାମକ ଏଫଏସଏସଏଆଇକୁ କୌଣସି ଟେଷ୍ଟ ରିପୋର୍ଟ କିମ୍ବା କମ୍ୟୁନିକେଶନ ପଠାଇ ନାହାଁନ୍ତି । ଏହାର ଉତ୍ପାଦରେ କ୍ଷତିକାରକ କୀଟନାଶକ ମିଳୁଥିବା ଅଭିଯୋଗ ସମ୍ପର୍କରେ କମ୍ପାନୀ କହିଛି ଯେ, ଏହା ସତ୍ୟ ନୁହେଁ। ଏପରି ଅଭିଯୋଗର କୌଣସି ପ୍ରମାଣ ମଧ୍ୟ ନାହିଁ ।

ସୂଚନା ଅନୁସାରେ, ଦେଶର ଘରେ ଘରେ ପରିଚିତ ମସଲା କମ୍ପାନୀ ଏମଡିଏଚ ଏବଂ ଏଭରେଷ୍ଟ ମସଲାରେ କ୍ୟାନସର ଭଳି ଘାତକ ରୋଗର କାରକ ରହିଛି ବୋଲି କହିଥିଲା ହଂକଂସ୍ଥିତ ସେଣ୍ଟର ଫର୍ ଫୁଡ୍ ସେଫ୍ଟି (ସିଏଫ୍ଏସ୍) । ଏହି ୨ଟି ମସଲା ଉତ୍ପାଦ ଉପରେ ପ୍ରତିବନ୍ଧକ ମଧ୍ୟ ଜାରି କରାଯାଇଥିଲା । ନିଷିଦ୍ଧ ଦ୍ରବ୍ୟ ମଧ୍ୟରେ ଏମଡିଏଚର ମାଡ୍ରାସ କରୀ ପାଉଡର, ମିକ୍ସ ମସଲା ପାଉଡର ଏବଂ ସମ୍ଭର ମସଲା ସହିତ ଏଭରେଷ୍ଟର ମାଛ ତରକାରୀ ମସଲା ଅନ୍ତର୍ଭୁକ୍ତ। ସିଏଫଏସର ନିୟମିତ ନିରୀକ୍ଷଣ ଏହି ଉତ୍ପାଦଗୁଡ଼ିକରେ ଏକ କୀଟନାଶକ ଏବଂ ଜଣାଶୁଣା କାର୍ସିନୋଜେନ ଇଥିଲିନ୍ ଅକ୍ସାଇଡ୍ ଚିହ୍ନଟ କରିଥିଲା । ଇଥିଲିନ୍ ଅକ୍ସାଇଡ୍ ମାନବ ବ୍ୟବହାର ପାଇଁ ଅନୁମୋଦିତ ନୁହେଁ, ଏବଂ ଖାଦ୍ୟରେ ଏହାର ଉପସ୍ଥିତି ହଂକଂର ସୁରକ୍ଷା ନିୟମକୁ ଉଲ୍ଲଂଘନ କରେ ବୋଲି କହିଥିଲା ଆୟୋଗ ।

Leave A Reply

Your email address will not be published.