ଡାକ୍ତରଖାନାରେ ମାଗଣା ଟେଷ୍ଟିଂର ସୁବିଧା ଥିଲେ ସୁଦ୍ଧା ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଲାବରେଟୋରୀ ଟେକ୍ନିସିଆନ୍
ଯାଜପୁର: ସରକାରଙ୍କ ନିୟମକୁ ମାନୁ ନାହାଁନ୍ତି ସରକାରୀ ବାବୁ। ସରକରୀ ସୁବିଧା ସୁଯୋଗକୁ ଅସ୍ତ୍ର କରି ନିଜ ପକେଟ ଗରମ କରୁଛନ୍ତି। ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକେ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା ନିରୀକ୍ଷା ମାଗଣାରେ କରାଯାଉଥିବା ବେଳେ ଏଠାରେ ତଥା ହେଉନାହିଁ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଏଠାରେ କାର୍ଯ୍ୟରତ LT ବା ଲାବରୋଟୋରୀ ଟେକ୍ନିସିଆନ୍ ଲୋକଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।
ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । 5T ଜରିଆରେ ଏହାର ତଦାରଖ କରାଯାଉଛି। ହେଲେ କିଛି ସରକାରୀ ବାବୁଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ରହିଥିବା ବେଳେ ପ୍ରତିଦିନ ଏଠାକୁ ଶହଶହ ରୋଗୀ ଆସିଥାନ୍ତି। ଏଠାରେ କାର୍ଯ୍ୟରତ LT ବା ଲାବରୋଟୋରୀ ଟେକ୍ନିସିଆନ୍ ନିର୍ମଳ ପଣ୍ଡା ସ୍ୱାସ୍ଥ୍ୟଗତ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଏସବୁ ପରୀକ୍ଷା ନିରୀକ୍ଷା ମାଗଣାରେ କରାଯାଉଥିବା ବେଳେ ଏହି ଲାବରୋଟୋରୀ ଟେକ୍ନିସିଆନ୍ ଜଣକ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ନେଉଛନ୍ତି। ଏଥିରୁ ଗରିବଗୁରୁବା ଦଳିତ ଆଦିବାସୀ ଲୋକ ମଧ୍ୟ ବାଦ ପଡୁନାହାନ୍ତି।
ସରକାରଙ୍କ ରାଜକୋଷରୁ ମୋଟା ଅଙ୍କର ଦରମା ନେଉଥିଲେ ମଧ୍ୟ ସେଥିରେ ବାବୁଙ୍କ ପେଟ ପୁରୁନି। ନିଜ ପକେଟ ଗରମ କରିବା ପାଇଁ ଗରିବ ଗୁରୁବାଙ୍କୁ ଠକି ଟଙ୍କା ଲୁଟି ଚାଲିଛନ୍ତି ବାବୁ ଜଣଙ୍କ।
ସବୁଠାରୁ ବଡ଼ କଥା ହେଉଛି ଏ ସମ୍ପର୍କରେ ଉକ୍ତ ଲାବରୋଟୋରୀ ଟେକ୍ନିସିଆନ୍ ଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁସିବାସିରେ କେହି ଟଙ୍କା ଦେଲେ ସେ ନେଇ ଯାଆନ୍ତି ବୋଲି କହିଛନ୍ତି।
Comments are closed.