ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୃଙ୍ଖଳା କମିଟି ଗଠନ କରିବାର ଦିନକ ପରେ ଦଳର ଅନ୍ୟତମ ପ୍ରମୁଖ ନେତା ତଥା ବିଧାୟକ ପ୍ରତାପ ଦେବଙ୍କ ଘରେ ବୈଠକ ଆଉ ଏଥିରେ ସାମିଲ ହୋଇନଥିବା ସଞ୍ଜୟ ଦାସ ବର୍ମା, ପୁରୀ ବିଧାୟକ ସୁନୀଲ ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅନୁପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି।
ବିରୋଧୀ ଦଳ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କ ବାସଭବନରେ ରବିବାର ଅନୁଷ୍ଠିତ ଏକ ବୈଠକ ପରେ ଏହି ଆଲୋଚନା ଆହୁରି ଜୋର ଧରିଛି। ବୈଠକର ସ୍ଥାନ, ସମୟ ଓ ଏଥିରେ ସାମିଲ ହୋଇଥିବା କିଛି ପ୍ରମୁଖ ନେତାଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନ ଉଠାଇଛି।
ପ୍ରତାପ ଦେବଙ୍କ ବାସଭବନରେ ଆୟୋଜିତ ଏହି ବୈଠକରେ ଦଳର ଅନେକ ନେତା ଉପସ୍ଥିତ ଥିଲେ। ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସଭାପତି ଉମା ସାମନ୍ତରାୟ ଏବଂ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ସମେତ ବିଭିନ୍ନ ବ୍ଲକ ସ୍ତରର ନେତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। କିନ୍ତୁ, ବର୍ତ୍ତମାନର ବିଧାୟକ ସୁନୀଲ ମହାନ୍ତି ଏବଂ ତୁଷାରକାନ୍ତି ବେହେରା ଏବଂ ଜିଲ୍ଲାର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମାଙ୍କ ଅନୁପସ୍ଥିତି ଦଳ ଭିତରେ ଅସନ୍ତୋଷର ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି।
ଏହାପୂର୍ବେ, ମାତ୍ର ଦୁଇ ଦିନ ଆଗରୁ ବିଜେଡି ଏକ ନୂଆ ଶୃଙ୍ଖଳା କମିଟି ଗଠନ କରିଥିଲା। ଏହି କମିଟି ଘୋଷଣାର ଠିକ୍ ପରେ ପ୍ରତାପ ଦେବଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହେବା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହା ଦଳ ଭିତରେ ଗୋଷ୍ଠୀଗତ ବିବାଦର ସଙ୍କେତ ହୋଇପାରେ ବୋଲି ଅନୁମାନ କରାଯାଉଛି।
ମାସେ ପୂର୍ବରୁ ଦଳର କିଛି ନେତା ହୋଟେଲରେ ବୈଠକ କରିଥିଲେ। ଏହାପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଦଳର ପାର୍ଟି ଅଫିସରେ ଅନେକ ରୁମ ରହିଛି। ଯେଉଁଠି ବୈଠକ କରିପାରିଥାନ୍ତେ ନେତା ମାନେ। ଏମିତି ହୋଟେଲେର ଦଳୀୟ ନେତାଙ୍କ ମେଳିକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ଯାହାକି ନବୀନ ଗଣମାଧ୍ୟମରେ ପରିପ୍ରକାଶ କରିଥିଲେ। ତେଣୁ ଏପରି ସ୍ଥିତିରେ ପ୍ରତାପ ଦେବ ଦଳୀୟ ବୈଠକକୁ ନିଜ ଘରେ କରିବା ନେଇ ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା।
ପୁରୀ ସାଂସଦ ଶୁଭାଶିଷ ଖୁଣ୍ଟିଆ ରବିବାରର ଏହି ବୈଠକ ସମ୍ପର୍କରେ କହିଛନ୍ତି, “ଆମେ ଜିଲ୍ଲାରେ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲୁ। ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ପରେ, ସମସ୍ତ ବ୍ଲକ ଏବଂ ସହରୀ ସ୍ଥାନୀୟ ନିକାୟର ସଭାପତିଙ୍କ ନାମ ଘୋଷଣା କରାଯିବ। ଏହି ବୈଠକରେ ସେହି ବିଷୟ ଉପରେ ଆଲୋଚନା ହୋଇଥିଲା।”
ଅନ୍ୟପକ୍ଷରେ, ପୁରୀ ବିଧାୟକ ସୁନୀଲ ମହାନ୍ତି ଏହାକୁ ଜିଲ୍ଲାସ୍ତରୀୟ ବୈଠକ ନୁହେଁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, “ଯଦି ଏହା ଜିଲ୍ଲାସ୍ତରୀୟ ବୈଠକ ହୋଇଥାନ୍ତା, ତେବେ ମୋତେ ଏବଂ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ସଞ୍ଜୟ ଦାସ ବର୍ମାଙ୍କୁ ନିମନ୍ତ୍ରଣ କରାଯାଇଥାନ୍ତା। ଜିଲ୍ଲାସ୍ତରୀୟ ବୈଠକ ହେଲେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତାମାନେ ଉପସ୍ଥିତ ଥାନ୍ତେ।”
ବିଜେଡି ନେତା ସୁଧୀର ସାମଲ ଏହି ପରିସ୍ଥିତି ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି, “ଯେତେବେଳେ ଦଳ କ୍ଷମତାରେ ଥାଏ, ସେତେବେଳେ ସୁପ୍ରିମୋଙ୍କୁ ଅନୁଶାସନ କମିଟିର ଆବଶ୍ୟକତା ପଡ଼େ ନାହିଁ। ସେହି ସମୟରେ ସମସ୍ତେ ଅନୁଶାସନ ବଜାୟ ରଖନ୍ତି। କିନ୍ତୁ, ଯେତେବେଳେ ଦଳର ପରାଜୟ ହୁଏ, ତେବେ ଅନୁଶାସନ ଭାଙ୍ଗିପଡ଼େ, ଯାହା ଏହାଦ୍ୱାରା ଏକ କମିଟି ଗଠନର ଆବଶ୍ୟକତା ସୃଷ୍ଟି ହୁଏ।”
ବିଜେଡି ନିର୍ବାଚନରେ ଅକସ୍ମାତ ହାରିବା ପରେ ଦଳରେ ସବୁକିଛି ଯେ ଠିକଠାକ ଅଛି ବୋଲି କହିହେବନି। ଦଳର ପରାଜୟ ପାଇଁ ବିଭିନ୍ନ ନେତା ନିଜ ନିଜ ମନ୍ତବ୍ୟ ଜାହିର କରୁଛନ୍ତି ଯାହା ବିଜେଡିରେ ଦୀର୍ଘ ଦିନର ଅସନ୍ତୋଷକୁ ପରିପ୍ରକାଶ କରୁଛି।
Comments are closed.