Latest Odisha News

ଜଳୁଛି ବାଂଲାଦେଶ; ଭାରତ ସୀମାରେ ହାଇଆଲର୍ଟ, ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ଏବେ ବି ସ୍ଥିତି ଅଣାୟତ୍ତ। ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ଭାରତ ପହଞ୍ଚିଛନ୍ତି ଶେଖ ହାସିନା। ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ ରହିବେ ସେ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଂଲାଦେଶ ସ୍ଥିତି ଦେଖି ପଡୋଶୀ ରାଷ୍ଟ୍ର ଭାରତ ସୀମାରେ ହାଇଆଲର୍ଟ ଜାରି ହୋଇଛି।

ବାଂଲାଦେଶ ସହ ୪୪୩ କିଲୋମିଟର ସୀମା ରହିଥିବା ମେଘାଳୟରେ ରାତ୍ରୀକାଳୀନ କର୍ଫ୍ଯୁ ଜାରି ହୋଇଛି। ସେପଟେ ପାଟ୍ରୋଲିଂକୁ କଡ଼ାକଡ଼ି କଲା ଆସାମ। ବାଂଲାଦେଶର ସ୍ଥିତି ନେଇ ସଜାଗ ଅଛନ୍ତି ଭାରତୀୟ ବାୟୁସେନା, ଭାରତୀୟ ସେନା ଓ ବିଏସଏଫ। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨ ହଜାର ୨୧୭ କିଲୋମିଟର ରହିଛି। ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ନିଜ ରାଜ୍ଯର ବାସିନ୍ଦାଙ୍କୁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ।

କୁହାଯାଉଛି ୟୁକେରେ ଶରଣାର୍ଥୀ ପାଇଁ ଆବେଦନ କରିବେ ଶେଖ୍ ହସିନା। ଗତକାଲି ହିଣ୍ଡନ ଏୟାରବେସ୍‌ରେ ଭାରତ ପହଞ୍ଚିଥିଲେ ହସିନା। ସ୍ଥିତିକୁ ଦେଖି ଏହାରି ଭିତରେ ଭାରତରୁ ବାଂଲାଦେଶ ଚଳାଚଳ କରୁଥିବା ସମସ୍ତ ଟ୍ରେନ ଏବଂ ବିମାନ ସେବାକୁ ସ୍ଥଗିତ ରଖିଛନ୍ତି ଭାରତ ସରକାର । ଏଥସହ ସେଠାରେ ଥିବା ସମସ୍ତ ଭାରତୀଙ୍କୁ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସୂଚନାଯୋଗ୍ୟ ଯେ, ଅନେକ ଦିନ ଧରି ବାଂଲାଦେଶରେ ବିଦ୍ରୋହର ବହ୍ନି ଜଳୁଛି । ଶେଷରେ ପରିସ୍ଥିତି ଅଣାୟତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇ ହସିନା ଦେଶ ଛାଡିଛନ୍ତି । ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରିବା ପରେ ସୁରକ୍ଷା ପାଇଁ ଶେଖ ହସିନା ଦେଶ ଛାଡିଛନ୍ତି । ଏବେ ନିଜ ଦେଶ ଛାଡି ଭାରତରେ ପହଞ୍ଚିଛନ୍ତି ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହସିନା ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୁସେନା ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି ।

Comments are closed.