Latest Odisha News

ଆଜିଠୁ ବଢିବ ତାତି; ୨ ରୁ ୩ ଡିଗ୍ରୀ ଯାଏ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ପାରଦ। ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ବିଶେଷ ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ଅନ୍ୟପଟେ ଉତ୍ତର-ପଶ୍ଚିମ ଭାରତରେ ଘଡ଼ଘଡ଼ି ସହ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁନ୍ ମାସରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିବ।

ସେହିପରି ରାଜ୍ୟରେ ଆଗାମୀ ୫ଦିନ ହିଟୱେଭ ସ୍ଥିତି ନଥିବା ବେଳେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ନେଇ ସୂଚନା ଦିଆଯାଇଛି।  କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଅଧିକ ରହୁ ନଥିବା ବେଳେ ଆର୍ଦ୍ରତା ଅଧିକ ରହୁଥିବାରୁ  ଗୁଳୁଗୁଳି ହେଉଛି। ୯୨.୮ ମିମି ସର୍ବାଧିକ ନୟାଗଡ଼ର ରାମପୁର ଏବଂ କେନ୍ଦ୍ରାପଡା ରାଜନଗରରେ ୭୮ ମିମି ବର୍ଷା ରେକର୍ଡ଼ କରାଯାଇଛି । ୩୧ ତାରିଖ ପର୍ୟ୍ୟନ୍ତ ଏମିତି ସ୍ଥିତି ରହିବ ।

ତିନି ଦିନ ପରେ ଦେଶର ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବ। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ରାଜସ୍ଥାନ ଓ ଗୁଜରାଟରେ ୯ରୁ ୧୨ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ତାପମାତ୍ରା ୪୫ରୁ ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଦିଲ୍ଲୀ, ଦକ୍ଷିଣ ହରିୟାଣା, ଦକ୍ଷିଣ-ପଶ୍ଚିମ ୟୁପି ଏବଂ ପଞ୍ଜାବରେ ୫-୭ ଦିନ ଗ୍ରୀଷ୍ମ ପ୍ରବାହ ରେକର୍ଡ କରାଯାଇଛି ଏବଂ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସରୁ ୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି।

 

Comments are closed.