ପୁରୀ: ଆଜି ପବିତ୍ର ବଡ଼ିଦନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ବଡ଼ଦିନ ପାଇଁ ଚଳଚଞ୍ଚଳ ସାରାବିଶ୍ବ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ବଡ ଦିନ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ସାରା ବିଶ୍ୱକୁ ‘Merry Christmas’ର ବାର୍ତ୍ତା ଦେଇଛନ୍ତି ।
ଏହି ପାର୍କ ରେ ବଡଦିନ ଉପଲକ୍ଷେ ସେ ତିନୋଟି ମୂର୍ତ୍ତି କରିଛନ୍ତି । ତାଙ୍କର ସମସ୍ତ ବାଲୁକା କଳାରେ ସାରା ବିଶ୍ୱକୁ World Peace ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାମାନ କରିବାକୁ ମାନସ ସାହୁ ଙ୍କୁ ୫ ଦିନ ସମୟ ଲାଗିଥିଲା । ତାଙ୍କ ଅନୁଷ୍ଠାନର ଛାତ୍ରୀ ଇତିଶ୍ରୀ ସାହୁ, ସଚ୍ଚିଦାନନ୍ଦ ପ୍ରଧାନ ତାଙ୍କୁ ବାଲୁକା କଳା କରିବାରେ ସହଯୋଗ କରିଥିଲେ ।
ଅନ୍ୟପଟେ, ଗତକାଲି ବିଳମ୍ବିତ ରାତିରେ ଚର୍ଚ୍ଚ ଗୁଡିକରେ ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ପାଳନ ପରେ ଆଜି ସକାଳୁ ଚାଲିଛି ସ୍ୱତନ୍ତ୍ର ପ୍ରାର୍ଥନା । ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ବିଭିନ୍ନ ଚର୍ଚ୍ଚ ଗୁଡ଼ିକ ସଜେଇ ହୋଇଛି । ଚିକମିକ୍ ଲାଇଟରେ ଝଲସୁଛି ।