ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦର ଘଣ୍ଟି ବଜାଇଛନ୍ତି ପାଣିପାଗ ବିଜ୍ଞାନୀ । ପ୍ରଶାନ୍ତ ମହାସାଗରରେ ଏକ ଅତି ଶକ୍ତିଶାଳୀ ‘ଏଲ୍-ନିନୋ’ ସୃଷ୍ଟି ହେଉଥିବା ବେଳେ, ଏହା ୧୯ଶ ଶତାବ୍ଦୀ ପରେ ସବୁଠାରୁ ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ବିଶ୍ୱର ହାରାହାରି ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ସହ ଆଗାମୀ ୨୦୨୬ କିମ୍ବା ୨୦୨୭ ମସିହା ମାନବ ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ସାଧାରଣତଃ ଏଲ୍-ନିନୋ ହେଉଛି ଏକ ପ୍ରାକୃତିକ ପାଣିପାଗ ଚକ୍ର। ଏହି ସମୟରେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ୧ରୁ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଥାଏ। କିନ୍ତୁ ଚଳିତ ଥର ଏହି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି, ଯାହାକି ଅତ୍ୟନ୍ତ ବିପଦଜନକ। ପୂର୍ବରୁ ୧୯୮୨-୮୩, ୧୯୯୭-୯୮ ଏବଂ ୨୦୧୫-୧୬ ମସିହାରେ ଶକ୍ତିଶାଳୀ ଏଲ୍-ନିନୋ ଦେଖାଦେଇଥିଲା। ତେବେ ବ୍ରିଟେନର ମେଟ୍ ଅଫିସ୍ (Met Office) ର ବରିଷ୍ଠ ବୈଜ୍ଞାନିକ ଆଡାମ୍ ସ୍କାଇଫ୍ ସୂଚନା ଦେଇଛନ୍ତି ଯେ, ଚଳିତ ଥର ପାଣିପାଗ ମଡେଲଗୁଡ଼ିକରେ ଏଲ୍-ନିନୋର ଯେଉଁ ଭୟଙ୍କର ସଙ୍କେତ ମିଳୁଛି, ତାହା ପୂର୍ବରୁ କେବେବି ଦେଖାଯାଇ ନଥିଲା ।
ଏହି ମହା-ଏଲ୍-ନିନୋର ସିଧାସଳଖ ତଥା ନକାରାତ୍ମକ ପ୍ରଭାବ ଭାରତୀୟ ମୌସୁମୀ ଉପରେ ପଡ଼ିବ। ପାଣିପାଗ ଇତିହାସ ଅନୁଯାୟୀ, ଯେବେ ବି ଏଲ୍-ନିନୋ ଶକ୍ତିଶାଳୀ ରୂପ ନିଏ, ଭାରତରେ ମୌସୁମୀ ଦୁର୍ବଳ ହୋଇଯାଏ। ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ସହ ମରୁଡ଼ି ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ବଢ଼ିଯାଏ। କୃଷି ଉପରେ ନିର୍ଭରଶୀଳ ଭାରତୀୟ ଅର୍ଥନୀତି ତଥା ଚାଷୀକୂଳ ପାଇଁ ଏହା ଏକ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ। ପରିବର୍ତ୍ତିତ ବାୟୁପ୍ରବାହ ଯୋଗୁଁ ବିଶ୍ୱର କେଉଁଠି ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଉପୁଜିବ ତ ଆଉ କେଉଁଠି ଲୋକେ ବୁନ୍ଦାଏ ପାଣି ପାଇଁ ଡହଳବିକଳ ହେବେ ।
ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ତାପମାତ୍ରା ପୂର୍ବରୁ ହିଁ ଅହେତୁକ ଭାବେ ବୃଦ୍ଧି ପାଉଛି। ଏପରି ସ୍ଥିତିରେ ଏଲ୍-ନିନୋ ଯୋଗୁଁ ୨୦୨୭ ମସିହା ବେଳକୁ ବିଶ୍ୱର ହାରାହାରି ତାପମାତ୍ରା ସାମୟିକ ଭାବେ ଶିଳ୍ପ ବିପ୍ଳବ ପୂର୍ବ ସ୍ତର ଠାରୁ ୧.୫ ଡିଗ୍ରୀ ସେଲସିୟସ୍ ସୀମା ଅତିକ୍ରମ କରିଯାଇପାରେ। ତେଣୁ ବିଭିନ୍ନ ଦେଶର ପାଣିପାଗ ବିଭାଗ ଏବେଠାରୁ ଏହି ବିପଦର ମୁକାବିଲା ଲାଗି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।


Comments are closed.