Latest Odisha News

BREAKING NEWS

ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: କମ୍ପ୍ୟୁଟର ଚିପ୍ ନିର୍ମାତା ମାଇକ୍ରୋନ୍ ଏହାର ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ କାରଖାନା ଗୁଜୁରାଟରେ ୨.୭୫ ବିଲିୟନ ଡ଼ଲାର୍ (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗ କରିବ। ମାଇକ୍ରୋନ୍ ଗୁରୁବାର ଏକ ବିବୃତ୍ତିରେ କହିଛି ଯେ ଦୁଇଟି ପର୍ଯ୍ୟାୟରେ ବିକଶିତ ହେବାକୁ ଥିବା ଏହି ପ୍ଲାଣ୍ଟ ପକ୍ଷରୁ ଏହା ୮୨୫ ମିଲିୟନ ଡ଼ଲାର ବିନିଯୋଗ କରିବ। ଅବଶିଷ୍ଟ ଅର୍ଥ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବିନିଯୋଗ ହେବ। ଆମେରିକୀୟ କମ୍ପାନୀ କହିଛି ଯେ ଏହି ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଭାରତ ସରକାରଙ୍କ ଅଗମେଣ୍ଟେଡ୍ ଆସେମ୍ବଲି, ଟେଷ୍ଟିଂ, ମାର୍କିଂ ଏବଂ ପ୍ୟାକେଜିଂ (ଏଟିଏମ୍ପି) ଯୋଜନା ଅଧୀନରେ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରକଳ୍ପର ମୋଟ ମୂଲ୍ୟର ୫୦ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ୨୦ ପ୍ରତିଶତ ଗୁଜୁରାଟ ସରକାର ପ୍ରଦାନ କରିବେ।

ମାଇକ୍ରୋନ୍ କହିଛି, ‘ଗୁଜୁରାଟରେ ଏହି ଆସେମ୍ବଲି ଏବଂ ପରୀକ୍ଷଣ କାରଖାନାର ପର୍ଯ୍ୟାୟ ନିର୍ମାଣ ୨୦୨୩ ମସିହାରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଲକ୍ଷ ବର୍ଗଫୁଟ କ୍ଷେତ୍ର ବିକଶିତ ହେବ ଏବଂ ଏହା ୨୦୨୪ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବ। କମ୍ପାନୀ କହିଛି ଯେ ଏହି କାରଖାନାର ଦ୍ୱିତୀୟ ପର୍ଯ୍ୟାୟର ନିର୍ମାଣ କାର୍ଯ୍ୟ ଏହି ଦଶନ୍ଧିର ଦ୍ୱିତୀୟାର୍ଦ୍ଧରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। କମ୍ପାନୀର କହିବାନୁସାରେ, ଏହାର ଉତ୍ପାଦନ ଭିତ୍ତିଭୂମି, ଅନୁକୂଳ ବ୍ୟବସାୟିକ ପରିବେଶ ଏବଂ ପ୍ରତିଭାର ଉପସ୍ଥିତି ଆଧାରରେ ଗୁଜରାଟକୁ ଏହି ପ୍ଲାଣ୍ଟ ପାଇଁ ମନୋନୀତ କରାଯାଇଛି।’

କମ୍ପାନୀର ସଭାପତି ତଥା ସିଇଓ ସଞ୍ଜୟ ମେହରୋତ୍ରା କହିଛନ୍ତି, ‘ସ୍ଥାନୀୟ ଭାବେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ସୃଷ୍ଟି ପାଇଁ ଭାରତ ଯେଉଁ ପଦକ୍ଷେପ ନେଉଛି, ସେଥିପାଇଁ ଆମେ ଆନନ୍ଦିତ। ଗୁଜୁରାଟ ପ୍ଲାଣ୍ଟର ପ୍ରତିଷ୍ଠା ଏହାର ବିଶ୍ୱସ୍ତରୀୟ ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ୨.୭୫ ବିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ ସହିତ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟ ପ୍ରାୟ ୫,୦୦୦ ଲୋକଙ୍କୁ ସିଧାସଳଖ ରୋଜଗାର ଯୋଗାଇବ ଏବଂ ୧୫,୦୦୦ ଲୋକ ଅନେକ ବର୍ଷ ଧରି ପରୋକ୍ଷ ରୋଜଗାର ଜାରି ରଖିବେ।’

ମାଇକ୍ରୋନ୍ କହିଛି, “ଏହି ନୂତନ ସୁବିଧା ଉଭୟ DRAM ଏବଂ NAND ଉତ୍ପାଦଗୁଡିକର ଆସେମ୍ବଲି ଏବଂ ପରୀକ୍ଷଣ ଉତ୍ପାଦନ କରିବାରେ ସକ୍ଷମ ହେବ ଏବଂ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ବଜାରରୁ ଆସୁଥିବା ଚାହିଦାକୁ ମଧ୍ୟ ପୂରଣ କରିପାରିବ। କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ମାଇକ୍ରୋନର ପ୍ରତିଷ୍ଠା ଏହି ଉତ୍ପାଦନ ଭାରତର ସେମିକଣ୍ଡକ୍ଟର ପରିସ୍ଥିତିରେ ମୂଳ ପରିବର୍ତ୍ତନ ଆଣିବ ଏବଂ ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇବ। ସେ କହିଛନ୍ତି, ଦେଶରେ ସେମିକଣ୍ଡକ୍ଟର ପରିବେଶର ଉଦବୋଧନରେ ଏହି ପୁଞ୍ଜି ବିନିଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ।

ନିବେଶ ଯୋଜନାକୁ ସ୍ୱାଗତ କରି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ସେମିକଣ୍ଡକ୍ଟର ଦେଶ ଭାବରେ ଭାରତର ବିକାଶ ରୋଡମ୍ୟାପରେ ଏହା ଏକ ବଡ଼ ମାଇଲଖୁଣ୍ଟ। ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ୨୦୨୩ ଜୁନ୍ ୨୧ ରେ ମାଇକ୍ରୋନ୍ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଭେଟିଥିଲେ। ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ନିମନ୍ତେ ମାଇକ୍ରୋନ୍ ଟେକ୍ନୋଲୋଜିକୁ ଆମନ୍ତ୍ରଣ କରିଛନ୍ତି। ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାର ବିଭିନ୍ନ ଭାଗରେ ଭାରତ ପ୍ରତିଯୋଗିତାମୂଳକ ସୁବିଧା ପ୍ରଦାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Comments are closed.